ବାଇପାସ୍ ରାସ୍ତା ନିର୍ମାଣ ଦାବିରେ କେନ୍ଦ୍ରମନ୍ତ୍ରୀଙ୍କୁ ଚିଠି
ମାଲକାନଗିରି : ମାଲକାନଗିରି ସହର ମଧ୍ୟ ଦେଇ ଯାଇଥିବା ଜାତୀୟ ରାଜପଥ-୩୨୬ରେ ଦିନକୁ ଦିନ ବଢ଼ୁଥିବା ଭାରୀ ଯାନବାହନ ଚଳାଚଳ ଯୋଗୁଁ ଟ୍ରାଫିକ୍ ସମସ୍ୟା,ଦୁର୍ଘଟଣା ଆଶଙ୍କା ଓ ସାଧାରଣ ଜନଜୀବନରେ ଅସୁବିଧା ସୃଷ୍ଟି ହେଉଛି। ଏହାର ସ୍ଥାୟୀ ସମାଧାନ ପାଇଁ ମାଲକାନଗିରି ସହରକୁ ଏକ ବାଇପାସ୍ ରାସ୍ତା ନିର୍ମାଣ କରିବାକୁ ମାଲକାନଗିରିଜିଲ୍ଲା ଚାମ୍ବର ଅଫ୍ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରିଜର ସଭାପତି ସୁରେଶ ସୋମାନିଙ୍କ ନେତୃତ୍ବରେ ଏକ ଟିମ କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନିତିନ ଗଡ଼କରୀଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି।ମାଲକାନଗିରି ଜିଲ୍ଲାପାଳ ମାଧ୍ୟମରେ ପଠାଯାଇଥିବା ଏହି ଚିଠିରେ ଏନ୍ଏଚ୍-୩୨୬ରେ ମାଲକାନଗିରି ସହରକୁ ଘେରି ଏକ ବାଇପାସ୍ ରାସ୍ତା ନିର୍ମାଣ କରିବାକୁ ଅନୁରୋଧ କରାଯାଇଛି। ଚିଠିରେ ଉଲ୍ଲେଖ ଅନୁଯାୟୀ ମାଲକାନଗିରି ଜିଲ୍ଲା ଦୀର୍ଘ ବର୍ଷ ଧରି ଭୌଗୋଳିକ ଦୁର୍ଗମତା,ଅପର୍ଯ୍ୟାପ୍ତ ଯୋଗାଯୋଗ ବ୍ୟବସ୍ଥା ଓ ବାମପନ୍ଥୀ ଉଗ୍ରବାଦ ପ୍ରଭାବରେ ଅନେକ ସମସ୍ୟାର ସମ୍ମୁଖୀନ ହୋଇଆସିଛି। ବର୍ତ୍ତମାନ ସୁରକ୍ଷା ପରିସ୍ଥିତିରେ ସୁଧାର ଓ ବିଭିନ୍ନ ବିକାଶମୂଳକ ପଦକ୍ଷେପ ଯୋଗୁଁ ଜିଲ୍ଲା ଧୀରେ ଧୀରେ ଶାନ୍ତି,ସମୃଦ୍ଧି ଓ ଆର୍ଥିକ ବିକାଶ ଦିଗରେ ଆଗକୁ ବଢ଼ୁଛି। ଏହି ସମୟରେ ରାସ୍ତା ଭିତ୍ତିଭୂମିର ସୁଦୃଢ଼ୀକରଣ ଅତ୍ୟନ୍ତ ଜରୁରୀ ବୋଲି ଚାମ୍ବର ପକ୍ଷରୁ ମତ ପ୍ରକାଶ କରାଯାଇଛି।ମୋଟୁ ସେତୁ ଖୋଲିବା ପରେ ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ, ତାମିଲନାଡୁ ଓ ମହାରାଷ୍ଟ୍ର ଆଦି ରାଜ୍ୟରୁ ମାଲକାନଗିରି ଦେଇ ଭାରୀ ବାଣିଜ୍ୟିକ ଯାନବାହନ ଚଳାଚଳ ବୃଦ୍ଧି ପାଇଛି। ବାଇପାସ୍ ରାସ୍ତା ନଥିବାରୁ ଏହି ଟ୍ରକ୍ ଓ ଅନ୍ୟ ବଡ଼ ଯାନଗୁଡ଼ିକ ସହରର ଘନବସତିପୂର୍ଣ୍ଣ ଅଞ୍ଚଳ ମଧ୍ୟଦେଇ ଯାତାୟାତ କରୁଛନ୍ତି। ଏହା ଫଳରେ ସହରରେ ଟ୍ରାଫିକ୍ ଜାମ୍,ଦୁର୍ଘଟଣା ଆଶଙ୍କା, ଧୂଳି ଓ ଶବ୍ଦ ପ୍ରଦୂଷଣ, ବ୍ୟବସାୟୀ ଓ ସାଧାରଣ ଲୋକଙ୍କୁ ଅସୁବିଧା, ରାସ୍ତା ଉପରେ ଅତିରିକ୍ତ ଚାପ ସହିତ ଆମ୍ବୁଲାନ୍ସ ଓ ଜରୁରୀକାଳୀନ ସେବା ଯାନବାହନର ଯାତାୟାତରେ ବାଧା ସୃଷ୍ଟି ହେଉଛି। ବିଶେଷକରି ପଦଚାରୀ,ସ୍କୁଲ ଛାତ୍ରଛାତ୍ରୀ,ମୋଟର ଚାଳକ ଓ ସହରବାସୀଙ୍କ ସୁରକ୍ଷା ପ୍ରତି ବିପଦ ବଢ଼ୁଥିବା ଦାବି କରାଯାଇଛି। ସହରର ଦ୍ରୁତ ନଗରୀକରଣ ଓ ଆଗାମୀ ଦିନରେ ଆନ୍ତଃରାଜ୍ୟ ବାଣିଜ୍ୟିକ ଯାତାୟାତ ଆହୁରି ବଢ଼ିବାର ସମ୍ଭାବନା ଥିବାରୁ ସମସ୍ୟା ଗମ୍ଭୀର ରୂପ ନେଇପାରେ। ତେଣୁ ଏନ୍ଏଚ୍-୩୨୬ରେ ମାଲକାନଗିରି ସହରକୁ ଘେରି ଉପଯୁକ୍ତ ବାଇପାସ୍ ରାସ୍ତା ନିର୍ମାଣକୁ ପ୍ରାଥମିକତା ଦେବାକୁ ଚାମ୍ବର ପକ୍ଷରୁ ଅନୁରୋଧ କରାଯାଇଛି।ବାଇପାସ୍ ନିର୍ମାଣ ହେଲେ ସହରର ଟ୍ରାଫିକ୍ ଚାପ କମିବା ସହ ଜନସାଧାରଣଙ୍କ ସୁରକ୍ଷା ବୃଦ୍ଧି, ଆନ୍ତଃରାଜ୍ୟ ଯାତାୟାତ ସୁଗମ, ବାଣିଜ୍ୟ ଓ ଶିଳ୍ପର ବିକାଶ, ନୂତନ ନିବେଶ ଏବଂ ରୋଜଗାର ସୃଷ୍ଟିରେ ସହାୟକ ହେବ ବୋଲି ଦାବିପତ୍ରରେ ଉଲ୍ଲେଖ ରହିଛି। ଦୀର୍ଘ ବର୍ଷ ଧରି ଅବହେଳା ଓ ଉଗ୍ରବାଦର ପ୍ରଭାବ ସହିଥିବା ମାଲକାନଗିରି ଜିଲ୍ଲାର ସାମଗ୍ରିକ ବିକାଶ, ଆଞ୍ଚଳିକ ସଂଯୋଗ ଓ ଆର୍ଥିକ ଅଗ୍ରଗତି ପାଇଁ ବାଇପାସ୍ ରାସ୍ତା ଏକ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ହେବ ବୋଲି ଚାମ୍ବର ଅଫ୍ କମର୍ସ ପକ୍ଷରୁ ଆଶା ପ୍ରକାଶ କରାଯାଇଛି।









Comments