Skip to content
Saturday, 14 November 2026
Breaking News
Video
Programme

ଗଞ୍ଜେଇ ପାଇଁ ଉଜୁଡ଼ୁଛି ଜଙ୍ଗଲ: ୨ ବର୍ଷରେ ଚିହ୍ନଟ ହୋଇଥିଲା ୨୫ ହଜାର ଏକର

ଗଞ୍ଜେଇ ପାଇଁ ଉଜୁଡ଼ୁଛି ଜଙ୍ଗଲ: ୨ ବର୍ଷରେ ଚିହ୍ନଟ ହୋଇଥିଲା ୨୫ ହଜାର ଏକର

ଗଞ୍ଜେଇ ପାଇଁ ଉଜୁଡ଼ୁଛି ଜଙ୍ଗଲ: ୨ ବର୍ଷରେ ଚିହ୍ନଟ ହୋଇଥିଲା ୨୫ ହଜାର ଏକର

Key Points

  • ବୌଦ୍ଧ: ଶାନ୍ତିପ୍ରିୟ ବୌଦ୍ଧ ଜିଲ୍ଲା ଗତ କିଛିବର୍ଷ ହେଲା ବେଆଇନ ଗଞ୍ଜେଇ କାରବାର ଓ ଚାଷକୁ ନେଇ ଦୁର୍ନାମ ମୁଣ୍ଡାଇଛି।
  • ନଭେମ୍ବରରୁ ଫେବ୍ରୁଆରି ପର୍ଯ୍ୟନ୍ତ ପୁଲିସଠାରୁ ଆରମ୍ଭ କରି ଅବକାରୀ ଏବଂ ବନବିଭାଗ ଗଞ୍ଜେଇ ଗଛ କାଟି ନଷ୍ଟ କରିବାରେ ବ୍ୟସ୍ତ ରହୁଛନ୍ତି।
  • ଜିଲ୍ଲା ପୁଲିସର ତଥ୍ୟ ମୁତାବକ, ୨୦୨୪ ମସିହାରେ ବୌଦ୍ଧର ବିଭିନ୍ନ ଥାନା ଅଞ୍ଚଳରୁ ପ୍ରାୟ ୧୦ ହଜାର ଏକର ଜମିରେ ଗଞ୍ଜେଇ ଚାଷ ଚିହ୍ନଟ କରାଯିବା ସହ ସେଗୁଡ଼ିକୁ କାଟି ଆଇନଗତ ପ୍ରକ୍ରିୟାରେ ନଷ୍ଟ କରାଯାଇଥିଲା।

ଗଞ୍ଜେଇ ପାଇଁ ଉଜୁଡ଼ୁଛି ଜଙ୍ଗଲ: ୨ ବର୍ଷରେ ଚିହ୍ନଟ ହୋଇଥିଲା ୨୫ ହଜାର ଏକର

 

ବୌଦ୍ଧ: ଶାନ୍ତିପ୍ରିୟ ବୌଦ୍ଧ ଜିଲ୍ଲା ଗତ କିଛିବର୍ଷ ହେଲା ବେଆଇନ ଗଞ୍ଜେଇ କାରବାର ଓ ଚାଷକୁ ନେଇ ଦୁର୍ନାମ ମୁଣ୍ଡାଇଛି। ନଭେମ୍ବରରୁ ଫେବ୍ରୁଆରି ପର୍ଯ୍ୟନ୍ତ ପୁଲିସଠାରୁ ଆରମ୍ଭ କରି ଅବକାରୀ ଏବଂ ବନବିଭାଗ ଗଞ୍ଜେଇ ଗଛ କାଟି ନଷ୍ଟ କରିବାରେ ବ୍ୟସ୍ତ ରହୁଛନ୍ତି। ଜିଲ୍ଲା ପୁଲିସର ତଥ୍ୟ ମୁତାବକ, ୨୦୨୪ ମସିହାରେ ବୌଦ୍ଧର ବିଭିନ୍ନ ଥାନା ଅଞ୍ଚଳରୁ ପ୍ରାୟ ୧୦ ହଜାର ଏକର ଜମିରେ ଗଞ୍ଜେଇ ଚାଷ ଚିହ୍ନଟ କରାଯିବା ସହ ସେଗୁଡ଼ିକୁ କାଟି ଆଇନଗତ ପ୍ରକ୍ରିୟାରେ ନଷ୍ଟ କରାଯାଇଥିଲା। ଗତବର୍ଷ (୨୦୨୫) ଏହି ପରିମାଣ ଦେଢ଼ଗୁଣା ବୃଦ୍ଧି ପାଇ ୧୫ ହଜାର ଏକରରେ ପହଞ୍ଚିଥିଲା। ଚଳିତବର୍ଷ ପୁଣି ଗଞ୍ଜେଇକଟା ଅଭିଯାନ ଆରମ୍ଭ ହୋଇଗଲାଣି। ଚଳିତମାସ ୫ ତାରିଖ ସୁଦ୍ଧା ୨ ହଜାର ଏକର ଜମିରୁ ଗଞ୍ଜେଇ ଚାଷ ନଷ୍ଟ କରାଗଲାଣି। ଏଇ ମାସ ଶେଷ ସୁଦ୍ଧା ଏହି ପରିମାଣ ୧୦ ହଜାର ଏକର ହେବ ବୋଲି କୁହାଯାଉଛି। ଏହାକୁ ଦେଖିଲେ ଲାଗୁଛି ବୌଦ୍ଧ ଜିଲ୍ଲା ଗଞ୍ଜେଇ ଚାଷର ହବ୍‌ ପାଲଟି ଯାଇଛି।ତେବେ ଏହି ଚାଷ ପାଇଁ ନିରାପଦ ସ୍ଥାନ ଭାବେ ଜଙ୍ଗଲ ପରିସରକୁ ବଛା ଯାଉଛି। ପରିଣାମସ୍ବରୂପ ଜିଲ୍ଲାରେ ଜଙ୍ଗଲ ଉଜୁଡ଼ିବାରେ ଏହା ପ୍ରମୁଖ ଭୂମିକା ଗ୍ରହଣ କରୁଛି। ଆଉ ଜଙ୍ଗଲ ନଷ୍ଟ ହେବାର ସିଧାସଳଖ ପ୍ରଭାବ ପରିବେଶ ଉପରେ ପଡ଼ୁଛି। ପ୍ରତି ବର୍ଷ ଜିଲ୍ଲାର ସର୍ବୋଚ୍ଚ ତାପମାତ୍ରା ରେକର୍ଡ ଭାଙ୍ଗିବାରେ ଲାଗିଛି। ଏତେ ପରିମାଣର ଗଞ୍ଜେଇ ଗଛ କଟାଗଲା ପରେ ମଧ୍ୟ ପ୍ରଚୁର ମାତ୍ରାରେ ଚୋରା ଚାଲାଣ ହେଉଥିବା ଗଞ୍ଜେଇ ଜବତ ହେଉଛି। ତଥ୍ୟ ଅନୁସାରେ, ଗତବର୍ଷ ବୌଦ୍ଧ ଜିଲ୍ଲା ପୁଲିସ ୩୮ ଟନ୍ ଗଞ୍ଜେଇ ଜବତ କରିଥିଲା। ଚଳିତବର୍ଷ ୫୦ ଟନ୍‌ରୁ ଊର୍ଦ୍ଧ୍ବ (ଗତମାସ ୨୩ ତାରିଖ ସୁଦ୍ଧା ୫୩,୬୧୩ କେଜି) ଗଞ୍ଜେଇ ଜବତ ହୋଇସାରିଲାଣି। ୨୦୨୩ ମସିହାରେ ଏହି ପରିମାଣ ୪୩.୫ ଟନ୍ ଥିଲା।ଏଥିରୁ ସ୍ପଷ୍ଟ ଯେ ଗଞ୍ଜେଇ ଗଛକଟା ଅଭିଯାନ ପରେ ମଧ୍ୟ ଆହୁରି ବହୁ ଅଞ୍ଚଳ ଦୃଷ୍ଟି ଆଢ଼ୁଆଳରେ ରହିଯାଉଛି। ତେବେ ଗତ ୫ ତାରିଖରେ ପୁଲିସ ଆଇଜି ହିମାଂଶୁ ଲାଲ୍ ବୌଦ୍ଧ ଜିଲ୍ଲା ଗସ୍ତ କରି (ଏଏନ୍‌ଟିଏଫ୍‌) ଆଣ୍ଟି ନାରକୋଟିକ୍ ଟାସ୍କଫୋର୍ସକୁ ଅଧିକ ସକ୍ରିୟ କରିବା ସହ ପୁଲିସ, ପ୍ରଶାସନ, ଅବକାରୀ ଏବଂ ବନବିଭାଗର ଏକ ମିଳିତ ବୈଠକରେ ସାମିଲ ହୋଇଥିଲେ। ୨୦୨୯ ମାର୍ଚ୍ଚ ସୁଦ୍ଧା ସାରା ଦେଶକୁ ନିଶାମୁକ୍ତ କରିବା ପାଇଁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଲକ୍ଷ୍ୟ ଧାର୍ଯ୍ୟ କରିଥିବା ବେଳେ ଏହି କ୍ରମରେ ଓଡ଼ିଶା ଏବଂ ବୌଦ୍ଧ ଜିଲ୍ଲାକୁ ନିଶାମୁକ୍ତ କରିବା ପାଇଁ ସମସ୍ତଙ୍କୁ ଆହ୍ବାନ କରିଥିଲେ। ଉପରୋକ୍ତ ଚାରି ବିଭାଗର ମିଳିତ ଉଦ୍ୟମରେ କିଭଳି ଜିଲ୍ଲାକୁ ଗଞ୍ଜେଇମୁକ୍ତ କରାଯିବ, ସେ ସଂପର୍କରେ ବିଶଦ ଆଲୋଚନା ପୂର୍ବକ ସ୍ବତନ୍ତ୍ର ରଣନୀତି ପ୍ରସ୍ତୁତ କରାଯାଇଥିଲା। ଏଥିପାଇଁ ଅତିରିକ୍ତ ୫ ପ୍ଲାଟୁନ୍‌ ପୁଲିସ ଫୋର୍ସ ମଧ୍ୟ ଯୋଗାଇ ଦିଆଯାଇଥିବା ଜଣାପଡ଼ିଛି। ତେବେ ଖାଲି ଗଞ୍ଜେଇ ଚାଷ ନଷ୍ଟ କଲେ ହେବନାହିଁ, ଚିହ୍ନଟ ଜମିଗୁଡ଼ିକରେ ପୁନଃ ବନୀକରଣ ପାଇଁ ପଦକ୍ଷେପ ନିଆଗଲେ ପରିବେଶ ସନ୍ତୁଳନରେ ଏହା ସହାୟକ ହୋଇପାରିବ ବୋଲି ମତପ୍ରକାଶ ପାଇଛି।

What's Your Reaction?

like

dislike

love

funny

angry

sad

wow

BIDYADHAR BARIK MADHU
Written by

BIDYADHAR BARIK MADHU

FOUNDER OMMTV MEDIA PVT. LTD. & KALINGA CINE ARTS FOUNDATION

Related Posts

Comments