Skip to content
Saturday, 14 November 2026
Breaking News
Video
Programme

ଜୟ ଗୋରାମ ଧ୍ୱନିରେ କମ୍ପୁଛି ‘ଆଗୁଆଡ଼’ ଯୋଗଦେବେ ମୁଖ୍ୟମନ୍ତ୍ରୀ

ଜୟ ଗୋରାମ ଧ୍ୱନିରେ କମ୍ପୁଛି ‘ଆଗୁଆଡ଼’ ଯୋଗଦେବେ ମୁଖ୍ୟମନ୍ତ୍ରୀ

ଜୟ ଗୋରାମ ଧ୍ୱନିରେ କମ୍ପୁଛି ‘ଆଗୁଆଡ଼’ ଯୋଗଦେବେ ମୁଖ୍ୟମନ୍ତ୍ରୀ

Key Points

  • ବୈଶିଙ୍ଗା : ଜୟ ଗୋରାମ ଧ୍ୱନିରେ କମ୍ପୁଛି ଆଗୁଆଡ଼।
  • ଏପଟେ ମୁଖ୍ୟମନ୍ତ୍ରୀଙ୍କ ଆଗମନକୁ ନେଇ ପ୍ରଶାସନ ଓ ପୁଲିସ ବିଭାଗର ତତ୍ପରତା ଜୋରଦାର।
  • ମୟୂରଭଞ୍ଜଜିଲ୍ଲା ବଡ଼ସାହି ବ୍ଲକ ଦୁର୍ଗାପୁର ପଞ୍ଚାୟତ ଅନ୍ତର୍ଗତ ଆଗୁଆଡ଼ ଗ୍ରାମରେ କୁଡ଼ୁମୀ ସମାଜ ପକ୍ଷରୁ ଆୟୋଜିତ ଜାତୀୟ ବାନ୍ଦନା ପରବ-୨୦୨୬ ମହାସମାରୋହରେ ଉଦ୍‌ଘାଟିତ ହୋଇଥିବା ବେଳେ ଆସନ୍ତାକାଲି (ଶୁକ୍ରବାର) ଏହାର ସମାପନୀ…

 ଜୟ ଗୋରାମ ଧ୍ୱନିରେ କମ୍ପୁଛି ‘ଆଗୁଆଡ଼’ ଯୋଗଦେବେ ମୁଖ୍ୟମନ୍ତ୍ରୀ

 

ବୈଶିଙ୍ଗା :  ଜୟ ଗୋରାମ ଧ୍ୱନିରେ କମ୍ପୁଛି ଆଗୁଆଡ଼। ଚାରିଆଡ଼େ ଉତ୍ସବର ମାହୋଲ। ଉତ୍ସାହିତ କୁଡ଼ୁମୀ ସମାଜ। ଏପଟେ ମୁଖ୍ୟମନ୍ତ୍ରୀଙ୍କ ଆଗମନକୁ ନେଇ ପ୍ରଶାସନ ଓ ପୁଲିସ ବିଭାଗର ତତ୍ପରତା ଜୋରଦାର। ମୟୂରଭଞ୍ଜଜିଲ୍ଲା ବଡ଼ସାହି ବ୍ଲକ ଦୁର୍ଗାପୁର ପଞ୍ଚାୟତ ଅନ୍ତର୍ଗତ ଆଗୁଆଡ଼ ଗ୍ରାମରେ କୁଡ଼ୁମୀ ସମାଜ ପକ୍ଷରୁ ଆୟୋଜିତ ଜାତୀୟ ବାନ୍ଦନା ପରବ-୨୦୨୬ ମହାସମାରୋହରେ ଉଦ୍‌ଘାଟିତ ହୋଇଥିବା ବେଳେ ଆସନ୍ତାକାଲି  (ଶୁକ୍ରବାର) ଏହାର ସମାପନୀ ଉତ୍ସବରେ ଯୋଗଦେବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମୁଖ୍ୟମନ୍ତ୍ରୀଙ୍କ ସହ ୪ ଜଣ ମନ୍ତ୍ରୀ, ଏକାଧିକ ସାଂସଦ ଓ ବିଧାୟକ ମଧ୍ୟ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।କୁଡ଼ୁମୀ ସମାଜର ଐତିହ୍ୟ, ପରମ୍ପରା ଓ ସଂସ୍କୃତିର ସୁରକ୍ଷା ସହ ସମଗ୍ର ଦେଶର କୁଡ଼ୁମୀ ସମ୍ପ୍ରଦାୟକୁ ଏକ ସୂତ୍ରରେ ବାନ୍ଧିବା ଏହି ଜାତୀୟସ୍ତରୀୟ ପରବର ମୁଖ୍ୟ ଉଦ୍ଦେଶ୍ୟ। ବାନ୍ଦନା ପର୍ବର ମୌଳିକ ପରମ୍ପରା ଓ ରୀତିନୀତିକୁ ଅକ୍ଷୁଣ୍ଣ ରଖିବା ସହ ଆଗାମୀ ପିଢ଼ି ମଧ୍ୟରେ ସାଂସ୍କୃତିକ ଚେତନା ଓ ସାମାଜିକ ଏକତାର ବାର୍ତ୍ତା ପହଞ୍ଚାଇବା ଲକ୍ଷ୍ୟରେ ତିନିଦିନିଆ ଏହି ମହୋତ୍ସବ ଆୟୋଜିତ ହୋଇଛି। ଉଦ୍‌ଘାଟନୀ ଉତ୍ସବରେ ଝାଡ଼ଖଣ୍ଡର ଡୁମରି ବିଧାନସଭା କ୍ଷେତ୍ରର ବିଧାୟକ ଜୟରାମ ମାହାତୋ ମୁଖ୍ୟଅତିଥି ଏବଂ ଛୋଟଲାଲ ମହାନ୍ତ ମୁଖ୍ୟବକ୍ତା ଭାବେ ଯୋଗଦେଇଥିଲେ।ତେବେ ଆସନ୍ତାକାଲିର ମୁଖ୍ୟ କାର୍ଯ୍ୟକ୍ରମକୁ ନେଇ ଆଜି ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଖୋଦ୍ ସ୍ଥାନୀୟ ବିଧାୟକ ସନାତନ ବିଜୁଳି, ମୟୂରଭଞ୍ଜ ଜିଲ୍ଲାପାଳ ହେମକାନ୍ତ ସାୟ ଓ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ବରୁଣ ଗୁଣ୍ଟୁପାଲି ଦିନତମାମ ଉତ୍ସବସ୍ଥଳରେ ଉପସ୍ଥିତ ରହି ପ୍ରସ୍ତୁତି ଓ ସୁରକ୍ଷା ବ୍ୟବସ୍ଥାର ତଦାରଖ କରିଛନ୍ତି। ମଞ୍ଚ, ଅତିଥିଙ୍କ ଆଗମନ, ଯାତାୟାତ, ଜନସମାଗମ ନିୟନ୍ତ୍ରଣ ଓ ଅନ୍ୟାନ୍ୟ ବ୍ୟବସ୍ଥାର ସ୍ଥିତି ସମୀକ୍ଷା କରାଯାଇଛି। ଏଥିସହ ମୁଖ୍ୟମନ୍ତ୍ରୀଙ୍କ ଆକାଶମାର୍ଗରେ ଆଗମନ ପାଇଁ ହେଲିପ୍ୟାଡ୍‌ ମଧ୍ୟ ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇସାରିଛି।ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ଓ ଜାତୀୟସ୍ତରୀୟ ମହୋତ୍ସବରେ ବିପୁଳ ଜନସମାଗମକୁ ଦୃଷ୍ଟିରେ ରଖି ପୁଲିସ ପ୍ରଶାସନ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଜିଲ୍ଲା ଏସ୍‌ପି ବରୁଣ ଗୁଣ୍ଟୁପାଲିଙ୍କ ତତ୍ତ୍ୱାବଧାନରେ ୨ ଜଣ ଅତିରିକ୍ତ ଏସ୍‌ପି, ୭ ଜଣ ଡିଏସ୍‌ପି, ୧୬ ଜଣ ଇନ୍ସପେକ୍ଟର, ୭୫ ଜଣ ସବ୍‌ଇନ୍ସପେକ୍ଟର, ୧୮ ପ୍ଲାଟୁନ୍‌ ସଶସ୍ତ୍ର ପୁଲିସ ଫୋର୍ସ ଏବଂ ୧୭୦ ଜଣ ହୋମଗାର୍ଡଙ୍କୁ ସୁରକ୍ଷା ଦାୟିତ୍ୱରେ ନିୟୋଜିତ କରାଯାଇଛି। ଏହାସହ ଆସନ୍ତାକାଲିର କାର୍ଯ୍ୟକ୍ରମକୁ ଶାନ୍ତିଶୃଙ୍ଖଳାର ସହ ସମ୍ପନ୍ନ କରିବା ପାଇଁ ଜିଲ୍ଲା ଏସ୍‌ପି ସମସ୍ତ ପୁଲିସ ଅଧିକାରୀ ଓ ନିୟୋଜିତ ଫୋର୍ସଙ୍କୁ ନେଇ ଏକ ସ୍ୱତନ୍ତ୍ର ବ୍ରିଫିଂ କରିଥିଲେ। ଏଥିରେ ସୁରକ୍ଷା ଦାୟିତ୍ୱ, ଭିଡ଼ ନିୟନ୍ତ୍ରଣ, ଯାତାୟାତ ବ୍ୟବସ୍ଥା ଓ ଅତିଥିଙ୍କ ସୁରକ୍ଷିତ ଗମନାଗମନ ସମ୍ପର୍କରେ ଆବଶ୍ୟକ ନିର୍ଦ୍ଦେଶ ଦିଆଯାଇଥିଲା।ଅନ୍ୟପକ୍ଷରେ ବଡ଼ସାହି ନିର୍ବାଚନମଣ୍ଡଳୀରେ ପ୍ରଥମଥର ପାଇଁ ମୁଖ୍ୟମନ୍ତ୍ରୀଙ୍କ ଆଗମନକୁ ନେଇ ସ୍ଥାନୀୟ ଅଞ୍ଚଳବାସୀ ଓ କୁଡ଼ୁମୀ ସମାଜ ମଧ୍ୟରେ ବେଶ୍ ଉତ୍ସାହ ଓ ଉଦ୍ଦୀପନା ପ୍ରକାଶ ପାଇଛି। ଆଗୁଆଡ଼ରେ ଜାତୀୟ ବାନ୍ଦନା ପରବର ଉତ୍ସବମୁଖର ପରିବେଶ ସହ ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ସମଗ୍ର ଅଞ୍ଚଳରେ ଏବେ ଉତ୍ସବର ମାହୋଲ।

 

 

 

What's Your Reaction?

like

dislike

love

funny

angry

sad

wow

BIDYADHAR BARIK MADHU
Written by

BIDYADHAR BARIK MADHU

FOUNDER OMMTV MEDIA PVT. LTD. & KALINGA CINE ARTS FOUNDATION

Related Posts

Comments