Skip to content
Saturday, 14 November 2026
Breaking News
Video
Programme

ପୂର୍ତ୍ତ ବିଭାଗରେ ପୁଣି କେଳେଙ୍କାରି: ଭଗ୍ନାବଶେଷ ବାହାନାରେ ମାଟି ଚାଲାଣ

ପୂର୍ତ୍ତ ବିଭାଗରେ ପୁଣି କେଳେଙ୍କାରି: ଭଗ୍ନାବଶେଷ ବାହାନାରେ ମାଟି ଚାଲାଣ

ପୂର୍ତ୍ତ ବିଭାଗରେ ପୁଣି କେଳେଙ୍କାରି: ଭଗ୍ନାବଶେଷ ବାହାନାରେ ମାଟି ଚାଲାଣ

Key Points

  • ଭୁବନେଶ୍ୱର: ପୂର୍ତ୍ତ ବିଭାଗ ବିଭାଜନ-୧ରେ ୯.୧୪ କୋଟି ଟଙ୍କାର କେଳେଙ୍କାରି ଘଟଣାର ପୂର୍ଣ୍ଣାଙ୍ଗ ତଦନ୍ତ ଶେଷ ହୋଇନି।
  • ଏବେ ବି ଭିଜିଲାନ୍ସ ଏହାର ତଦନ୍ତ ଜାରି ରଖିଛି ଓ ଏହି ଘଟଣାରେ ୬ରୁ ଅଧିକ ଜଣଙ୍କୁ ବାନ୍ଧିସାରିଲାଣି।
  • ଘଟଣାରେ ଅନେ ଚାକିରିରୁ ନିଲମ୍ବିତ ବି ହୋଇ ସାରିଛନ୍ତି।

ପୂର୍ତ୍ତ ବିଭାଗରେ ପୁଣି କେଳେଙ୍କାରି: ଭଗ୍ନାବଶେଷ ବାହାନାରେ ମାଟି ଚାଲାଣ

 

ଭୁବନେଶ୍ୱର: ପୂର୍ତ୍ତ ବିଭାଗ ବିଭାଜନ-୧ରେ ୯.୧୪ କୋଟି ଟଙ୍କାର କେଳେଙ୍କାରି ଘଟଣାର ପୂର୍ଣ୍ଣାଙ୍ଗ ତଦନ୍ତ ଶେଷ ହୋଇନି। ଏବେ ବି ଭିଜିଲାନ୍ସ ଏହାର ତଦନ୍ତ ଜାରି ରଖିଛି ଓ ଏହି ଘଟଣାରେ ୬ରୁ ଅଧିକ ଜଣଙ୍କୁ ବାନ୍ଧିସାରିଲାଣି। ଘଟଣାରେ ଅନେ ଚାକିରିରୁ ନିଲମ୍ବିତ ବି ହୋଇ ସାରିଛନ୍ତି। ଏହାସତ୍ତ୍ବେ ବି ପୂର୍ତ୍ତ ବିଭାଗଡିଭିଜନ୍‌-୧ରେ କେଳେଙ୍କାରି ବନ୍ଦ ହେଉନି। ଜନାଶ୍ରୟ ଭବନ ନିର୍ମାଣ ପାଇଁ ଯେଉଁ କ୍ବାର୍ଟର୍ସ ସବୁ ଭଙ୍ଗାଯାଉଛି, ‌ତାହାର ‌ଭଗ୍ନାଂଶ ଉଠା ଆଳରେ ଠିକାଦାରମାନେ କୋଟି କୋଟି ଟଙ୍କାର ମାଟି ଚୋରି କରି ନେଲେଣି। ଏଭଳି ମାଟି ତାଡ଼ି ନେଉଛନ୍ତି ଯେ କେଉଁଠି ୫ ଫୁଟ ତ’ କେଉଁଠି ୭ ଫୁଟର ଗର୍ତ୍ତ କରି ସାରିଲେଣି। ରାଜଧାନୀ ଛାତି ଉପରେ ଏଭଳି ହରିଲୁଟ୍‌ ଚାଲିଥିଲେ ବି ନା ଠିକାଦାରଙ୍କ ଏଥିପ୍ରତି ଖାତିର ଅଛି, ନା ସରକାରୀ ବାବୁମାନଙ୍କର। ଓଲଟା ଠିକାଦାରଙ୍କ ଏହି ହରିଲୁଟ୍‌ ଦିନକୁ ଦିନ ବଢ଼ିବାରେ ଲାଗିଛି। ଏହି କେଳେଙ୍କାରିର ଉଚ୍ଚସ୍ତରୀୟ ତଦନ୍ତ କରିବାକୁ ସାଧାରଣରେ ଦାବି ହୋଇଛି।୨୦୨୫ ଜୁନ୍‌ ୧୬ରେ ସାଧାରଣ ପ୍ରଶାସନ ବିଭାଗ ଜନାଶ୍ରୟ ଭବନ କରିବା ସଂପର୍କିତ ଆଦେଶନାମା (ଚିଠି ନମ୍ବର-୨୦୧୭୭) ଜାରି କରିଥିଲା। ୟୁନିଟ୍‌-୨ ଅଞ୍ଚଳରେ ଏକାଧିକ ଘରବାରି ପ୍ଲଟ୍‌କୁ ଏକାଠି କରି ପ୍ରାୟ ୩ ଏକର ଜାଗାରେ ୨୦ ମହଲା ବିଶିଷ୍ଟ ଏହି ଜନାଶ୍ରୟ ଭବନ କରିବାକୁ ଯୋଜନା କରାଯାଇଛି। ସ୍ବାସ୍ଥ୍ୟଗତ କାରଣ ହେଉ କି ଅନ୍ୟ କିଛି, ରାଜ୍ୟର କୋଣ ଅନୁକୋଣରୁ ରାଜଧାନୀ ଭୁବନେଶ୍ବରକୁ ଆସୁଥିବା ଲୋକଙ୍କ ରହଣି ସୁବିଧା ପାଇଁ ରାଜ୍ୟ ସରକାର ଏହି ଭବନର ପରିକଳ୍ପନା କରିଛନ୍ତି। ଏଠାରେ ୭୬୮ଟି କୋଠରିରେ ୨ହଜାର ଶଯ୍ୟାର ବ୍ୟବସ୍ଥା କରାଯିବ। ଏଥିପାଇଁ ରାଜ୍ୟ ସରକାର ୧୯୨.୫୦ କୋଟି ଟଙ୍କା ମଞ୍ଜୁର କରିଛନ୍ତି। ଓବିସିସି ଏହି ‌ଭବନ ନିର୍ମାଣ କରିବ। ଏଥିପୂର୍ବରୁ ବହୁଦିନରୁ ଅବ୍ୟବହୃତ ଓ ଜବରଦଖଲରେ ଥିବା ୟୁନିଟ୍‌-୨ ଅଞ୍ଚଳର ୪ଶହରୁ ଅଧିକ ସରକାରୀ କ୍ବାର୍ଟର୍ସକୁ ଭାଙ୍ଗିବାକୁ ନିଷ୍ପତ୍ତି ହୋଇଛି।ପ୍ରଥମ ପର୍ଯ୍ୟାୟରେ ୨୧୮ଟି ଓ ଦ୍ବିତୀୟ ପର୍ଯ୍ୟାୟରେ ବାକି କ୍ବାର୍ଟର୍ସ ଭଙ୍ଗାଯିବ। ସାଧାରଣ ପ୍ରଶାସନ ବିଭାଗ ଚିଠିକ୍ରମେ ୟୁନିଟ୍‌-୨ର ଅଶୋକ ନଗରରେ ଥିବା ଏହି  କ୍ବାର୍ଟର୍ସ ସବୁକୁ ଖାଲି କରାଯିବା ପରେ ପୂର୍ତ୍ତ ବିଭାଗ ବିଭାଜନ-୧ କାର୍ଯ୍ୟାଳୟ ଏହି କ୍ବାର୍ଟର୍ସ ଭାଙ୍ଗିବା ଓ ଏହାର ଭଗ୍ନାଂଶ ଉଠାଇବାକୁ ପାଇଁ ଗୋଟିଏ ଟେଣ୍ଡର କରିଥିଲା। ଟେଣ୍ଡର ପାଇଥିବା ଠିକାଦାର ଜୁନ୍‌ରୁ କ୍ବାର୍ଟର୍ସ ଭାଙ୍ଗିବା ଓ ଭଗ୍ନାଂଶ ଉଠାଇବା ଆରମ୍ଭ କରିଛନ୍ତି। କିନ୍ତୁ ଭଗ୍ନାଂଶ ଉଠାଇବା ଆଳରେ ମାଟି ବି ଏଠାରୁ ତାଡ଼ି ନେଉଛନ୍ତି। ନିୟମିତ ଏଥିପାଇଁ ବଡ଼ ବଡ଼ ଜେସିବି ଓ ହାଇୱା ଏଠାରେ ଲାଗୁଛି। ଯେହେତୁ ଏହା ମୋରମ ଓ ମାଟିମିଶା, ପୋତା କାମରେ ଏହାର ବହୁଳ ବ୍ୟବହାର ହେଉଛି। ଟେଣ୍ଡର ନେଇଥିବା ଠିକାଦାର ଏହାକୁ ଚଢ଼ା ଦରରେ ବିକ୍ରି କରି କୋଟି କୋଟି ଟଙ୍କାର ମୁନାଫା ଉଠାଉଛନ୍ତି। ସେପଟେ ଏହି ମାଟି ଓ ମୋରମ ଚୋରି ପରେ ଏତେ ବଡ଼ ବଡ଼ ଗର୍ତ୍ତ ସୃଷ୍ଟି ହୋଇଛି ଯେ ପାଖକୁ ଯିବାକୁ ଡର ଲାଗୁଛି। ମାଟି ଚୋରି ପାଇଁ ବଡ଼ ବଡ଼ ମହାଦ୍ରୁମ ଗଛ ସବୁକୁ ବି ଏମାନେ ଛାଡ଼ୁନାହାନ୍ତି। ଏହାକୁ ବି କାଟି ପଦା କରି ଦେଉଛନ୍ତି। ଏହା ମୂଳ କେବଳ ପଡ଼ିଛି। ବାକି ଯେଉଁ ଗଛ ଠିଆ ହୋଇଛି, ଏହା ମୂଳରୁ ଏପରି ମାଟି ତାଡ଼ି ନିଆଯାଇଛି ଯେ ସାମାନ୍ୟ ପବନରେ ଓଲଟି ପଡ଼ିବ।ଏ ସଂପର୍କରେ ପୂର୍ତ୍ତ ବିଭାଗ ଡିଭିଜନ୍‌-୧ ଏସ୍‌ଡିଓ ଇଂ. ରାମଚନ୍ଦ୍ର ମଲ୍ଲିକ କହିଛନ୍ତି, ମାଟି ତାଡ଼ି ନେବା ଘଟଣା ଜାଣିଛୁ। ଏ ସଂପର୍କରେ ଏକାଧିକ ଥର ଥାନାରେ ଅଭିଯୋଗ ହୋଇଛି। ସଂପୃକ୍ତ ଠିକାଦାରଙ୍କୁ ବି ତାଗିଦ୍‌ କରାଯାଇଛି। ତଥାପି ଏମାନେ ଶୁଣୁନାହାନ୍ତି। ଆବଶ୍ୟକ ପଡ଼ିଲେ, ସଂପୃକ୍ତ ଠିକାଦାରଙ୍କ ଟେଣ୍ଡର ଟଙ୍କାରୁ ଏହାର ଭରଣା କରାଯିବ ବୋଲି ଇଂ. ମଲ୍ଲିକ କହିଛନ୍ତି।

What's Your Reaction?

like

dislike

love

funny

angry

sad

wow

BIDYADHAR BARIK MADHU
Written by

BIDYADHAR BARIK MADHU

FOUNDER OMMTV MEDIA PVT. LTD. & KALINGA CINE ARTS FOUNDATION

Related Posts

Comments