୫୦ ଫ୍ଲାପ୍ସେଲ୍ କଇଁଛ ଉଦ୍ଧାର, ୨ଜଣ ଗିରଫ
ମାଲକାନଗିରି : କାଲିମେଳା ବନ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ୫୦ଟି ଭାରତୀୟ ଫ୍ଲାପ୍ସେଲ୍ କଇଁଛ (ମଧୁରଜଳ କଇଁଛ) ଉଦ୍ଧାର କରିବା ସହ ଏହି ଘଟଣାରେ ଦୁଇଟି ମୋଟରସାଇକଲ୍ ଜବତ କରାଯିବା ସହ ଦୁଇଜଣଙ୍କୁ ଗିରଫ କରାଯାଇଛି। ସୂଚନା ଅନୁଯାୟୀ, ଆଜି (ମଙ୍ଗଳବାର) ପୂର୍ବାହ୍ଣ ପ୍ରାୟ ୬ଟା ୨୫ ମିନିଟ୍ ସମୟରେ କାଲିମେଳା ବନ ବିଭାଗର କର୍ମଚାରୀଙ୍କ ଏକ ଟିମ୍ ପାଟ୍ରୋଲିଂ କରୁଥିଲେ। ଜବଲପାଲ୍ଲୀ–କୋଇନେଟଲା ରାସ୍ତା ନିକଟରେ ଦୁଇଜଣ ବ୍ୟକ୍ତିଙ୍କ ଗତିବିଧି ଉପରେ ସନ୍ଦେହ କରି ସେମାନଙ୍କୁ ଅଟକାଇ ଯାଞ୍ଚ କରିଥିଲେ। ଅଟକ ଦୁଇଜଣ ହେଲେ ଏମ୍ପିଭି-୬୪ ଗ୍ରାମର ଦେବବ୍ରତ ଗାଏନ୍, ଏବଂ ନବଗୋପାଳ ମଣ୍ଡଳ। ଉଭୟଙ୍କ ଘର ମାଲକାନଗିରି ଜିଲ୍ଲାର ତେଲରାଇ ଅନ୍ତର୍ଗତ ଏମ୍ପିଭି-୬୪ ଗ୍ରାମରେ। ଯାଞ୍ଚ ସମୟରେ ସେମାନଙ୍କ ନିକଟରୁ ୫୦ଟି ଭାରତୀୟ ଫ୍ଲାପ୍ସେଲ୍ ପ୍ରଜାତିର କଇଁଛ ମିଳିଥିଲା।ବନ ବିଭାଗ ପକ୍ଷରୁ ଉଦ୍ଧାର ହୋଇଥିବା କଇଁଛ ଓ ଜବତ ମଟର ସାଇକେଲ ସହ ଦୁଇ ଅଟକ ବ୍ୟକ୍ତିଙ୍କୁ କାଲିମେଳା ବନାଞ୍ଚଳ କାର୍ଯ୍ୟାଳୟକୁ ନିଆଯାଇଛି। ସେଠାରେ ଆବଶ୍ୟକୀୟ ବିଭାଗୀୟ ପ୍ରକ୍ରିୟା ସମ୍ପନ୍ନ କରାଯିବା ସହ ବନ୍ୟପ୍ରାଣୀ ସୁରକ୍ଷା ଆଇନ -୧୯୭୨ର ସଂଶୋଧିତ ବ୍ୟବସ୍ଥା ଅନୁଯାୟୀ ପରବର୍ତ୍ତୀ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପ୍ରକ୍ରିୟା ଜାରି ରହିଛି ବୋଲି ବନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।









Comments