ବାତ୍ୟା ଆଶ୍ରୟସ୍ଥଳରେ ରନ୍ଧା ଖାଦ୍ୟର ମାନ ଯାଞ୍ଚ କଲେ ଉପମୁଖ୍ୟମନ୍ତ୍ରୀ

ବାତ୍ୟା ଆଶ୍ରୟସ୍ଥଳରେ ରନ୍ଧା ଖାଦ୍ୟର ମାନ ଯାଞ୍ଚ କଲେ ଉପମୁଖ୍ୟମନ୍ତ୍ରୀ

ବାତ୍ୟା ଆଶ୍ରୟସ୍ଥଳରେ ରନ୍ଧା ଖାଦ୍ୟର ମାନ ଯାଞ୍ଚ କଲେ ଉପମୁଖ୍ୟମନ୍ତ୍ରୀ

ବାତ୍ୟା ଆଶ୍ରୟସ୍ଥଳରେ ରନ୍ଧା ଖାଦ୍ୟର ମାନ ଯାଞ୍ଚ କଲେ ଉପମୁଖ୍ୟମନ୍ତ୍ରୀ

 

ରାୟଗଡ଼ା :ବାତ୍ୟା ଅର୍ଣବ ପରିଚାଳନା ପାଇଁ ରାୟଗଡା ଜିଲ୍ଲା ଦାୟିତ୍ବରେ ରହିଥିବା ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ପଦ୍ମପୁର ବ୍ଲକ ଜୟପଙ୍ଗା ଆଶ୍ରୟସ୍ଥଳୀରେ ପହଞ୍ଚି ସ୍ଥିତି ସମୀକ୍ଷା କରିଛନ୍ତି। ଲୋକଙ୍କ ପାଇଁ ପ୍ରସ୍ତୁତ ରନ୍ଧା ଖାଦ୍ୟର ମାନ ଯାଞ୍ଚ କରିବା ସହ ଉପମୁଖ୍ୟମନ୍ତ୍ରୀ ନିଜେ ରନ୍ଧା ଖାଦ୍ୟ ଖାଇଛନ୍ତି। ଏହି ପରିପ୍ରେକ୍ଷୀରେ ସେ ଅନ୍ତେବାସୀଙ୍କୁ ଶୁଖିଲା ଖାଦ୍ୟ ଓ ରାସନ ସାମଗ୍ରୀ ବଣ୍ଟନ କରିବା ସହ ସେମାନଙ୍କ ସହ ଆଲୋଚନା କରିଥିଲେ।ରାୟଗଡା ଜିଲ୍ଲା ପଦ୍ମପୁର ବ୍ଲକ ଡେରିଗାଁ ପଞ୍ଚାୟତ ମୁତୁକୁଣି ଗ୍ରାମର କଚ୍ଚା ଘରେ ରହୁଥିବା ଲୋକଙ୍କୁ ସୁରକ୍ଷିତ ଭାବେ ସ୍ଥାନାନ୍ତର କରାଯାଇଛି। ଗ୍ରାମର ପ୍ରାୟ ୧୬ଟି ପରିବାରର ୫୨ ଜଣ ସଦସ୍ୟଙ୍କୁ ଆଣି ଜୟପଙ୍ଗା ପ୍ରାଥମିକ ବିଦ୍ୟାଳୟରେ ଖୋଲାଯାଇଥିବା ଅସ୍ଥାୟୀ ଆଶ୍ରୟସ୍ଥଳୀରେ ରଖାଯାଇଛି। ସେଠାରେ ସେମାନଙ୍କୁ ରନ୍ଧା ଖାଦ୍ୟ ଓ ଅନ୍ୟାନ୍ୟ ଜରୁରୀ ସୁବିଧା ଯୋଗାଇ ଦିଆଯାଉଛି। ବାତ୍ୟା ‘ଅର୍ଣ୍ଣବ’ ପ୍ରଭାବରେ ରାୟଗଡ଼ା ଜିଲ୍ଲାରେ ମଧ୍ୟମ ଧରଣର ବର୍ଷା ଲାଗି ରହିଛି। ଲଗାଣ ବର୍ଷା ଓ ସମ୍ଭାବ୍ୟ ବିପଦକୁ ଦୃଷ୍ଟିରେ ରଖି ପ୍ରଶାସନ ତରଫରୁ ବ୍ୟାପକ ସୁରକ୍ଷା ପଦକ୍ଷେପ ଗ୍ରହଣ କରାଯାଇଛି। ବାତ୍ୟା ଆଶ୍ରୟସ୍ଥଳ ପରିଦର୍ଶନ ପରେ ଉପମୁଖ୍ୟମନ୍ତ୍ରୀ କେନ୍ଦୁଗୁଡ଼ା ଜଳଭଣ୍ଡାର ପରିଦର୍ଶନ କରି ଜଳସ୍ତରର ସ୍ଥିତି ଅନୁଧ୍ୟାନ କରିବା ସହ ପ୍ରଶାସନିକ ଅଧିକାରୀଙ୍କ ସହ ପ୍ରସ୍ତୁତି ସମ୍ପର୍କରେ ଆଲୋଚନା କରିଥିଲେ। ଜଳସେଚନ ବିଭାଗ ପକ୍ଷରୁ ସୂଚନା ଅନୁଯାୟୀ ଆଜି ଅପରାହ୍ନରେ ହରଭଙ୍ଗୀ ଜଳଭଣ୍ଡାରରୁ ଜଳ  ଛଡ଼ାଯାଇଛି।ହରଭଙ୍ଗୀ ଜଳଭଣ୍ଡାରରେ ବର୍ତ୍ତମାନ ୬୯୬.୩୧୨ କ୍ୟୁସେକ ଜଳ ପ୍ରବେଶ କରୁଛି। ହରଭଙ୍ଗୀ ଜଳଭଣ୍ଡାରର ଜଳସ୍ତର ୩୮୬.୩୦ ହୋଇଥିବାରୁ ମଧ୍ୟାହ୍ଣରେ ବିପଦ ସାଇରନ ବାଜିବା ପରେ ଜଳସ୍ତର ବିପଦ ସଙ୍କେତ ଅତିକ୍ରମ କରିବା ଆଶଙ୍କା ପ୍ରକାଶ କରି ହରଭଙ୍ଗୀ ଜଳଭଣ୍ଡାରରୁ ୨ଟି ଗେଟ୍ ଖୋଲାଯାଇଥିଲା। ବର୍ତମାନ ୨୦୩.୪୫୫ କ୍ୟୁସେକ ଜଳ ନିଷ୍କାସନ କରାଯାଉଛି। ଜଳ ଛଡ଼ାଯିବା ପରେ ଏହା ବଂଶଧାରା ନଦୀରେ ମିଶୁଥିବାରୁ ସଂଲଗ୍ନ ଅଞ୍ଚଳରେ ଅସୁରକ୍ଷିତ ବାସସ୍ଥାନଗୁଡିକ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି। ଜଳ ଛଡାଯିବାପରେ ବଂଶଧାରା ନଦୀକୂଳିଆ ଅଞ୍ଚଳ ରହିଥିବା ପଦ୍ମପୁର, ରାମନାଗୁଡ଼ା ଏବଂ ଗୁଣପୁରର ବିଡିଓ ଏବଂ ତହସିଲଦାରଙ୍କୁ ସତର୍କ କରାଯାଇଛି। ଆବଶ୍ୟକ ସ୍ଥଳେ ବଂଶଧାରା ନଦୀକୁଳର ଲୋକଙ୍କୁ ସ୍ଥାନାନ୍ତର କରିବା ପାଇଁ ପ୍ରଶାସନ ପ୍ରସ୍ତୁତି ଚଳାଇଛି  ଏବଂ ପରିସ୍ଥିତି ଉପରେ ନଜର ରଖିଛନ୍ତି। ଆଜି ଅସ୍ଥାୟି ବାତ୍ୟା ଆଶ୍ରୟସ୍ଥଳ ପରିଦର୍ଶନ ସମୟରେ ଜିଲ୍ଲାପାଳ ଆଶୁତୋଷ କୁଲକର୍ଣି, ଏସ୍‌ପି ରାଜ ପ୍ରସାଦ ଓ ଅନ୍ୟାନ୍ୟ ଅଧିକାରୀ ଉପସ୍ଥିତ ରହିଥିଲେ। ଆଜି ସକାଳ ୮.୩୦ରୁ ମଧ୍ୟାହ୍‌ଣ ୨.୩୦ ଯାଏଁ ଜିଲ୍ଲାରେ ୨୬୬ ମିମି ବର୍ଷା ହୋଇଥିବା ଜିଲ୍ଲା ସୂଚନା ଓ ଲୋକ ସଂପର୍କ ବିଭାଗ ତରଫରୁ ସୂଚନା ଦିଆଯାଇଛି।