ବାତ୍ୟା ‘ଅର୍ଣ୍ଣବ’: ୩ ଫୁଟ ଖାଲି ହେବ ହୀରାକୁଦ, ୩୧ରୁ ନଭେମ୍ବର ୧ ମଧ୍ୟରେ ପହଞ୍ଚିପାରେ ଛତିଶଗଡ଼ର ବର୍ଷା ପାଣି
ବାତ୍ୟା ‘ଅର୍ଣ୍ଣବ’: ୩ ଫୁଟ ଖାଲି ହେବ ହୀରାକୁଦ, ୩୧ରୁ ନଭେମ୍ବର ୧ ମଧ୍ୟରେ ପହଞ୍ଚିପାରେ ଛତିଶଗଡ଼ର ବର୍ଷା ପାଣି
ବାତ୍ୟା ‘ଅର୍ଣ୍ଣବ’: ୩ ଫୁଟ ଖାଲି ହେବ ହୀରାକୁଦ, ୩୧ରୁ ନଭେମ୍ବର ୧ ମଧ୍ୟରେ ପହଞ୍ଚିପାରେ ଛତିଶଗଡ଼ର ବର୍ଷା ପାଣି
ସମ୍ବଲପୁର: ବାତ୍ୟା ‘ଅର୍ଣ୍ଣବ’ ପ୍ରଭାବରେ ହୀରାକୁଦ ଜଳଭଣ୍ଡାର ଉପରମୁଣ୍ଡରେ ବର୍ଷା ପୂର୍ବାନୁମାନକୁ ଦୃଷ୍ଟିରେ ରଖି ସର୍ବୋଚ୍ଚ ଜଳସ୍ତରଠାରୁ ୩ ଫୁଟ ଖାଲି ହେବ ହୀରାକୁଦ ଜଳଭଣ୍ଡାର। ବର୍ତ୍ତମାନ ସୁଦ୍ଧା ଅଢ଼େଇ ଫୁଟ ଖାଲି କରାଯାଇଛି। ଆସନ୍ତାକାଲି ସୁଦ୍ଧା ଜଳସ୍ତର ଆଉ ଅଧଫୁଟ କମାଇ ଦିଆଯିବ। ବର୍ଷା ହୋଇନଥିବା ଯୋଗୁଁ ଗେଟ୍ ଖୋଲା ଯାଇନାହିଁ। ମହାନଦୀ ଉପରମୁଣ୍ଡରେ ଥିବା ଡ୍ୟାମ୍ଗୁଡ଼ିକ ମଧ୍ୟ ଖାଲି ରହିଥିବା ଛତିଶଗଡ଼ ଜଳସମ୍ପଦ ବିଭାଗ ସୂଚନା ଦେଇଛି। ବର୍ଷାକୁ ଦୃଷ୍ଟିରେ ରଖି ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ ବୋଲି ହୀରାକୁଦ ଜଳଭଣ୍ଡାରର ମୁଖ୍ୟଯନ୍ତ୍ରୀ ଇଂ. ପ୍ରତାପଚନ୍ଦ୍ର ଚୌଧୁରୀ କହିଛନ୍ତି। ହୀରାକୁଦ ବନ୍ଧ ନିୟନ୍ତ୍ରଣ କକ୍ଷରୁ ମିଳିଥିବା ସୂଚନାନୁସାରେ, ମଙ୍ଗଳବାର ସନ୍ଧ୍ୟା ୬ଟା ସୁଦ୍ଧା ଜଳସ୍ତର ୬୨୭.୪୩ ଫୁଟକୁ ହ୍ରାସ କରାଯାଇଛି। ଏହି ସମୟରେ ବିଭିନ୍ନ ମାର୍ଗ ଦେଇ ହାରାହାରି ୩୫,୩୨୪ କ୍ୟୁସେକ୍ ପାଣି ନିଷ୍କାସିତ ହେଉଥିଲା। ଗତବର୍ଷ ଏହି ସମୟରେ ହୀରାକୁଦର ଜଳସ୍ତର ୬୨୯.୧୦ ଫୁଟ ରହିଥିଲା। ‘ଅର୍ଣ୍ଣବ’ ପ୍ରଭାବରେ ଛତିଶଗଡ଼ରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ପୂର୍ବାନୁମାନ କରିଛି ଆଇଏମ୍ଡି। ହୀରାକୁଦ ଜଳଭଣ୍ଡାର ଉପରମୁଣ୍ଡ ବିଳାସପୁର, କୋରବା, ରାୟପୁର, ରାୟଗଡ଼ ସିଓନାଥରେ ପ୍ରବଳ ବର୍ଷା ହେବାକୁ ଥିବାରୁ ହୀରାକୁଦ ଜଳଭଣ୍ଡାରକୁ ଜଳପ୍ରବାହ ବୃଦ୍ଧି ପାଇବା ଆଶଙ୍କା ରହିଛି। ଯାହା ଓଡ଼ିଶାକୁ ପ୍ରଭାବିତ କରିବ। ୨୮ରୁ ୨୯ ତାରିଖ ପର୍ଯ୍ୟନ୍ତ ସମ୍ବଲପୁର ପାଇଁ ୟେଲୋ ୱାର୍ଣ୍ଣିଂ ରହିଛି। ଏହାକୁ ଦୃଷ୍ଟିରେ ରଖି ହୀରାକୁଦ ଜଳଭଣ୍ଡାରର ଜଳ ପରିଚାଳନା ଗୁରୁତ୍ବପୂର୍ଣ୍ଣ ହୋଇପଡ଼ିଛି। ମୁଖ୍ୟଯନ୍ତ୍ରୀ ଇଂ. ଚୌଧୁରୀ କହିଛନ୍ତି, ଛତିଶଗଡ଼ ବର୍ଷା ପାଣି ଏଠାରେ ପହଞ୍ଚିବା ପାଇଁ ୩୧ରୁ ୧ ତାରିଖ ପର୍ଯ୍ୟନ୍ତ ସମୟ ଲାଗିବ। ଏହାକୁ ଦୃଷ୍ଟିରେ ରଖି ଜଳସ୍ତରକୁ କମ୍ ରଖାଯାଉଛି। ଯାହାଫଳରେ ଉପରମୁଣ୍ଡରୁ ପାଣି ପହଞ୍ଚିଲେ ମଧ୍ୟ କୌଣସି ସମସ୍ୟା ହେବନାହିଁ।

