ପରିବାର ପାଳିବା ପାଇଁ କର୍ଣ୍ଣାଟକ ଯାଇଥିଲେ ସୁନ୍ଦରଗଡ଼ର ବ୍ୟକ୍ତି, ଜନ୍ମମାଟିକୁ ଫେରିଲା ମୃତଦେହ
ପରିବାର ପାଳିବା ପାଇଁ କର୍ଣ୍ଣାଟକ ଯାଇଥିଲେ ସୁନ୍ଦରଗଡ଼ର ବ୍ୟକ୍ତି, ଜନ୍ମମାଟିକୁ ଫେରିଲା ମୃତଦେହ
ପରିବାର ପାଳିବା ପାଇଁ କର୍ଣ୍ଣାଟକ ଯାଇଥିଲେ ସୁନ୍ଦରଗଡ଼ର ବ୍ୟକ୍ତି, ଜନ୍ମମାଟିକୁ ଫେରିଲା ମୃତଦେହ
ବାଲିଶଙ୍କରା: ପରିବାରର ଅଭାବ ଅନଟନ ଦୂର କରିବାକୁ କର୍ଣ୍ଣାଟକ ଖଟିବାକୁ ଯାଇଥିଲେ। ହେଲେ ଦୁଇ ମାସ ନ ପୂରୁଣୁ ଘରକୁ ଫେରିଲା ତାଙ୍କ ମୃତଦେହ। କର୍ଣ୍ଣାଟକର ମେଙ୍ଗାଲୁରୁରେ ସମୁଦ୍ରରେ ପଡ଼ି ମୃତ୍ୟୁବରଣ କରିଥିବା ସୁନ୍ଦରଗଡ଼ ଜିଲ୍ଲା ତଲସରା ଥାନା ଅନ୍ତର୍ଗତ ଖମପୁର ଗ୍ରାମ ଖଡ଼ିଆପଡ଼ାର ସୁଧର ନାଏକ (୪୦)ଙ୍କ ମୃତଦେହ ଶୁକ୍ରବାର ଗାଁରେ ପହଞ୍ଚିବା ପରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। କର୍ମ ସଂସ୍ଥାନର ଅଭାବ ଯୋଗୁଁ ତଥା ପରିବାର ପାଳିବା ପାଇଁ ଓଡ଼ିଶାର ଲକ୍ଷ୍ୟ ଲକ୍ଷ୍ୟ ଲୋକ ବାହାର ରାଜ୍ୟକୁ ଯାଉଛନ୍ତି। ସେମାନଙ୍କର ମଧ୍ୟରୁ ଅନେକ ଲୋକ ଆଉ ଜୀବିତ ଫେରୁ ନାହିଁ। ସରକାର ମଧ୍ୟ ନିଦାବିଷ୍ଣୁ ସାଜିଛନ୍ତି। ସୁଧର ନାଏକ ପରିବାରର ଆର୍ଥିକ ଦୁରବସ୍ଥା ଯୋଗୁଁ ଦୁଇ ମାସ ପୂର୍ବେ କର୍ଣ୍ଣାଟକର ମେଙ୍ଗାଲୁରୁମଚ ଖଟିବାକୁ ଯାଇଥିଲେ। ସେଠାରେ ଜେଡିଏସ୍ କମ୍ପାନିରେ ମାଛ ଧରାଳି ଭାବେ କାମ କରୁଥିଲେ। ଗତ ୨୦ ତାରିଖ ଦିନ ବୋଟ୍ରେ କାମ କରୁଥିବା ସମୟରେ ଗୋଡ଼ ଖସିଯିବାରୁ ସେ ସମୁଦ୍ରରେ ପଡ଼ିଯାଇଥିଲେ। ସାଥୀ ଶ୍ରମିକମାନେ ଖୋଜାଖୋଜି କରିଥିଲେ ମଧ୍ୟ ତାଙ୍କର କୌଣସି ସନ୍ଧାନ ପାଇନଥିଲେ। ଗତ ୨୨ ତାରିଖ ଗୁରୁବାର ସକାଳ ପ୍ରାୟ ୭ଟାରେ ସମୁଦ୍ରକୂଳରେ ତାଙ୍କ ମୃତଦେହ ଠାବ ହୋଇଥିଲା।ପରେ ସାଥୀ ଶ୍ରମିକମାନେ ପହଞ୍ଚି ମୃତଦେହ ଚିହ୍ନଟ କରିଥିଲେ। ଆର୍ଥିକ ଅଭାବ ଯୋଗୁଁ ପରିବାରଲୋକେ ମେଙ୍ଗାଲୁରୁ ଯାଇ ମୃତଦେହ ଆଣିବାକୁ ଅସମର୍ଥ ହୋଇଥିଲେ। ଶେଷରେ କମ୍ପାନି ମାଲିକ ଓ ସାଥୀ ଶ୍ରମିକଙ୍କ ମିଳିତ ଉଦ୍ୟମରେ ଆର୍ଥିକ ସହାୟତା ଯୋଗାଡ଼ କରାଯାଇ ଆମ୍ବୁଲାନ୍ସ ଯୋଗେ ମୃତଦେହ ଗାଁକୁ ଅଣାଯାଇଥିଲା। ସୁଧରଙ୍କ ପରିବାରରେ ମୋଟ ୧୨ ଜଣ ସଦସ୍ୟ ଅଛନ୍ତି। ତାଙ୍କ ପତ୍ନୀଙ୍କ ଚାରି ବର୍ଷ ପୂର୍ବେ ମୃତ୍ୟୁ ହୋଇଥିବାବେଳେ ତାଙ୍କର ଚାରି ପୁଅ ଓ ଗୋଟିଏ ଝିଅ ଅଛନ୍ତି। ସେମାନଙ୍କ ମଧ୍ୟରୁ ତିନି ପୁଅ ଓ ଝିଅଙ୍କ ବିବାହ ସରିଛି। ସୁଧର ତାଙ୍କ ସାନ ପୁଅ ପରମେଶ୍ୱର ନାଏକଙ୍କ ସହ ରହୁଥିଲେ। ପରିବାରର ନିଜସ୍ୱ ଚାଷଜମି ପ୍ରାୟ ନଥିବାବେଳେ ମାତ୍ର ସାତ ଡିସିମିଲ ଘରବାରି ଜମି ରହିଛି। ସରକାରୀ ସହାୟତା କହିଲେ କେବଳ ରାସନ ଚାଉଳ ମିଳୁଥିବାବେଳେ ଏଯାଏଁ ପରିବାରକୁ ଆବାସ ଗୃହ ମଧ୍ୟ ମିଳିନାହିଁ। ଉଲ୍ଲେଖଯୋଗ୍ୟ, ଏହି ଗ୍ରାମର ଦୀପକ ପ୍ରଧାନ ମଧ୍ୟ ଗତ ବର୍ଷ ବାହାର ରାଜ୍ୟକୁ ଖଟିବାକୁ ଯାଇ ମୃତ୍ୟୁବରଣ କରିଥିଲେ। ତାଙ୍କ ମୃତଦେହ ମଧ୍ୟ ଗାଁକୁ ଫେରିଥିଲା। ଅଞ୍ଚଳରେ ପର୍ଯ୍ୟାପ୍ତ ରୋଜଗାର ସୁଯୋଗ ନଥିବାରୁ ଯୁବକମାନେ ବାଧ୍ୟ ହୋଇ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଉଥିବା ଗ୍ରାମବାସୀ କହିଛନ୍ତି। ସେଠାରେ କାମ କରୁଥିବା ସମୟରେ ବିଭିନ୍ନ ଦୁର୍ଘଟଣାରେ ଶ୍ରମିକଙ୍କ ମୃତ୍ୟୁ ଘଟୁଥିବାରୁ ଏହା ଚିନ୍ତାର ବିଷୟ ପାଲଟିଛି। ଏଭଳି ଦୁଃଖଦ ଘଟଣାର ପୁନରାବୃତ୍ତି ରୋକିବାକୁ ପ୍ରଶାସନ ଅଞ୍ଚଳରେ ରୋଜଗାର ସୃଷ୍ଟି କରିବା ସହ ଯୁବକଯୁବତୀଙ୍କୁ ସ୍ଥାନୀୟ ସ୍ତରରେ କାମ ଯୋଗାଇଦେବାକୁ ଗ୍ରାମବାସୀ ଦାବି କରିଛନ୍ତି। ଏଥିସହ ଅସହାୟ ସୁଧରଙ୍କ ପରିବାରକୁ ଆବାସ ଗୃହ ସମେତ ଆବଶ୍ୟକ ସରକାରୀ ସହାୟତା ଗାଇଦେବାକୁ ମଧ୍ୟ ଦାବି ହୋଇଛି।

