ମହିଳା ସୁଧ ବେପାରୀର ଉତ୍ପାତ: ମହିଳାଙ୍କ ଘରେ ଭଡ଼ାଟିଆ ଗୁଣ୍ଡାଙ୍କ ଆତଙ୍କରାଜ, ଡିସିପିଙ୍କୁ ଗୁହାରୀ କଲେ ପୀଡ଼ିତା
ମହିଳା ସୁଧ ବେପାରୀର ଉତ୍ପାତ: ମହିଳାଙ୍କ ଘରେ ଭଡ଼ାଟିଆ ଗୁଣ୍ଡାଙ୍କ ଆତଙ୍କରାଜ, ଡିସିପିଙ୍କୁ ଗୁହାରୀ କଲେ ପୀଡ଼ିତା
ମହିଳା ସୁଧ ବେପାରୀର ଉତ୍ପାତ: ମହିଳାଙ୍କ ଘରେ ଭଡ଼ାଟିଆ ଗୁଣ୍ଡାଙ୍କ ଆତଙ୍କରାଜ, ଡିସିପିଙ୍କୁ ଗୁହାରୀ କଲେ ପୀଡ଼ିତା
ବାଲିଅନ୍ତା: ସୁଧ ଟଙ୍କା ଆଦାୟ କରିବାକୁ ଯାଇ ଜଣେ ମହିଳା ସୁଧ ବେପାରୀଙ୍କ ଉତ୍ପାତ ବାଲିଅନ୍ତା ଯଶୁଆପୁର ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି। ୫/୬ଜଣ ଭଡ଼ାଟିଆ ଗୁଣ୍ଡାଙ୍କୁ ନେଇ ମହିଳା ସୁଧ ବେପାରୀଜଣକ ଜଣଙ୍କ ଘରେ ପଶି ତିନି ତିନିଜଣ ମହିଳାଙ୍କ ଚୁଟି ଟାଣି ମାଡ଼ମାରିବା ସହ ୨ଝିଅଙ୍କୁ ଅପହରଣ କରିନେବାକୁ ଧମକ ଦେଇଥିବା ନେଇ ବାଲିଅନ୍ତା ଥାନାରେ ଅଭିଯୋଗ ହୋଇଛି। ପୀଡ଼ିତ ପରିବାର ପକ୍ଷରୁ ପୁଲିସକୁ ଘଟଣା ବେଳର ଭିଡିଓ କ୍ଲିପ୍ ଦିଆଯିବା ପରେ ବି ପୁଲିସ କାହାକୁ ଗିରଫ କରିନାହିଁ। ଏଣୁ ପୀଡ଼ିତ ପରିବାର ଆଜି ଭୁବନେଶ୍ବର ଡିସିପିଙ୍କୁ ଭେଟି ଗୁହାରି କରିଛନ୍ତି। ଅଭିଯୁକ୍ତମାନଙ୍କୁ ଗିରଫ କରିବା ଦାବିକରିବା ସହ ଏହି ମାମଲାରେ ବାଲିଅନ୍ତା ଥାନା ପୁଲିସର ନିଷ୍କ୍ରିୟତା ବିରୋଧରେ ପୀଡ଼ିତ ପରିବାର ଡିସିପିଙ୍କୁ ଅଭିଯୋଗ କରିଛନ୍ତି। ମଙ୍ଗଳବାର ଅର୍ଥାତ ଦଶହରା ଦିନ ସନ୍ଧ୍ୟାରେ ଏହି ଘଟଣା ଘଟିଥିଲା। ଯଶୁଆପୁରରେ ଭଡ଼ାଘର ନେଇ ରହୁଥିବା ରାଉରକେଲାର ପୂଜା ଜେନାଙ୍କ ପରିବାର ଏହି ଆକ୍ରମଣର ଶିକାର ହୋଇଥିଲା। ପୂଜା ଜଣେ ମହିଳାଙ୍କଠାରୁ ୧୦ ଲକ୍ଷ ଟଙ୍କା କରଜ ନେଇଥିଲେ। ସେ ସୁଧମୂଳ ଦେଇ ଚାଲିଥିଲେ ଏବଂ କିଛି ଟଙ୍କା ଶୁଝିବାକୁ ବାକି ଥିଲା। ମଙ୍ଗଳବାର ସନ୍ଧ୍ୟାରେ ମହିଳାଜଣକ ୫/୬ଜଣ ଯୁବକଙ୍କ ସହ ତାଙ୍କ ଭଡ଼ାଘରକୁ ଆସି ପାଟିତୁଣ୍ଡ କରିଥିଲେ। ଗେଟ୍ ଭାଙ୍ଗି ଭିତରକୁ ଧସେଇ ପଶିବା ପରେ ଗାଳିଗୁଲଜ କରିଥିଲେ। ବିରୋଧ କରିବାରୁ ସେମାନେ ପୂଜାଙ୍କ ସମେତ ତାଙ୍କ ଶାଶୂ, ଯାଆଙ୍କୁ ଟାଣି ଆଣି ମାଡ଼ମାରିଥିଲେ। ଦୁର୍ବୃତ୍ତମାନେ ତିନି ମହିଳାଙ୍କ ଚୁଟି ଧରି ତଳେ ଘୋଷାରି ପକାଇଥିଲେ। ତୁରନ୍ତ ସବୁ ଟଙ୍କା ନ ଦେଲେ, ପରିବାରର ୨ଝିଅଙ୍କୁ ଅପହରଣ କରିନେବେ ବୋଲି ଧମକ ଦେଇ ଚାଲିଯାଇଥିଲେ। ଏନେଇ ପୂଜା ବାଲିଅନ୍ତା ଥାନାରେ ଲିଖିତ ଅଭିଯୋଗ କରିଥିଲେ ହେଁ ପୁଲିସ କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହିଁ ବୋଲି ପୂଜା ଅଭିଯୋଗ କରିଛନ୍ତି। ଆଜି ସେ ଭୁବନେଶ୍ବର ଡିସିପି ଡ. ସର୍ବଣା ବିବେକ ଏମ୍.ଙ୍କୁ ଭେଟି ଗୁହାରି କରିଛନ୍ତି।

