ଘୁମୁସର ଉଦୟଗିରି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ସମସ୍ୟା ସମାଧାନ ପାଇଁ ଦାବିପତ୍ର
ଘୁ.ଉଦୟଗିରି: ଘୁମୁସର ଉଦୟଗିରି ସ୍ଥିତି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଲାଗିରହିଥିବା ସମସ୍ୟାର ସମାଧାନ ନିମନ୍ତେ ସ୍ଥାନୀୟ ବାସିନ୍ଦାଙ୍କ ଏକ ପ୍ରତିନିଧି ଦଳ ଫୁଲବାଣୀ ସ୍ଥିତ କନ୍ଧମାଳଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ପ୍ରଶାନ୍ତ କୁମାର ମିଶ୍ରଙ୍କୁ ସାକ୍ଷାତ କରି ଏକ ଦାବିପତ୍ର ପ୍ରଦାନ କରିଛନ୍ତି।ଦାବିପତ୍ରରେ ଉଲ୍ଲେଖ ରହିଛି, ଘୁ.ଉଦୟଗିରି ବ୍ଲକ, ବିଜ୍ଞାପିତ ଅଞ୍ଚଳ ପରିଷଦ ଏବଂ ଆଖପାଖ ଅଞ୍ଚଳର ପ୍ରାୟ ୫୦ ହଜାରରୁ ଊର୍ଦ୍ଧ୍ୱ ଲୋକ ଘୁ.ଉଦୟଗିରି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଉପରେ ନିର୍ଭରଶୀଳ। ମାତ୍ର ଆବଶ୍ୟକୀୟ ଚିକିତ୍ସା ଉପକରଣର ଅଭାବ ଓ ଗୁରୁତ୍ୱପୂର୍ଣ୍ଣ ବିଶେଷଜ୍ଞ ଡାକ୍ତର ପଦବୀ ଦୀର୍ଘଦିନ ଧରି ଖାଲି ପଡ଼ିଛି। ବିଶେଷକରି ଗର୍ଭବତୀ ମହିଳାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ସ୍ୱାସ୍ଥ୍ୟ କେନ୍ଦ୍ରରେ ଅଲ୍ଟ୍ରାସାଉଣ୍ଡ ମେସିନ୍ ନଥିବାରୁ ସେମାନଙ୍କୁ ଅନ୍ୟ ସ୍ଥାନକୁ ଯାଇ ଅଧିକ ଅର୍ଥ ଓ ସମୟ ଖର୍ଚ୍ଚ କରିବାକୁ ପଡ଼ୁଛି। ଏହାଦ୍ୱାରା ଗରିବ ଓ ଅସହାୟ ପରିବାର ବିଶେଷ ଭାବେ ଆର୍ଥିକ ଓ ଶାରୀରିକ ଯନ୍ତ୍ରଣାର ସମ୍ମୁଖୀନ ହେଉଛନ୍ତି। ଦୀର୍ଘଦିନ ଧରି ଶିଶୁ ରୋଗ ବିଶେଷଜ୍ଞ, ଭେଷଜ ବିଶେଷଜ୍ଞ ଓ ଶଲ୍ୟ ଚିକିତ୍ସା ବିଶେଷଜ୍ଞ ପଦବୀ ଖାଲି ପଡ଼ିଥିବାରୁ ରୋଗୀମାନେ ଉନ୍ନତ ଚିକିତ୍ସା ପାଇଁ ଅନ୍ୟ ଡାକ୍ତରଖାନାକୁ ଯିବାକୁ ବାଧ୍ୟ ହେଉଛନ୍ତି। ଅନ୍ୟପକ୍ଷରେ, ଘୁ.ଉଦୟଗିରି ସ୍ୱାସ୍ଥ୍ୟ କେନ୍ଦ୍ରରେ ସ୍ତ୍ରୀ ଓ ପ୍ରସୂତି ବିଭାଗର ବିଶେଷଜ୍ଞ ଡାକ୍ତର ପଙ୍କଜ କୁମାର ବିହାରୀଙ୍କ ନିଯୁକ୍ତି ଓ ସେବା ପ୍ରଦାନ ପାଇଁ ଅଞ୍ଚଳବାସୀ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗକୁ କୃତଜ୍ଞତା ଜଣାଇଛନ୍ତି। ତେବେ ବର୍ତ୍ତମାନ ସପ୍ତାହରେ ମାତ୍ର ୩ ଦିନ ତାଙ୍କ ସେବା ଉପଲବ୍ଧ ହେଉଥିବାରୁ ଏହାକୁ ସମସ୍ତ କାର୍ଯ୍ୟଦିବସରେ ନିୟମିତ କରିବାକୁ ଦାବି କରିଛନ୍ତି। ଜଣେ ବିଶେଷଜ୍ଞ ଡାକ୍ତରଙ୍କ ଉପସ୍ଥିତି ଗର୍ଭବତୀ ମହିଳା ଓ ପ୍ରସୂତିଙ୍କ ପାଇଁ ଅତ୍ୟନ୍ତ ଆଶ୍ୱସ୍ତିଦାୟକ ହୋଇଥିବାରୁ ତାଙ୍କ ସେବାରୁ ଅଞ୍ଚଳବାସୀ ନିୟମିତ ଭାବେ ଉପକୃତ ହେବା ଆବଶ୍ୟକ ବୋଲି ଅଞ୍ଚଳବାସୀ ମତ ଦେଇଛନ୍ତି।ଦାବିପତ୍ର ପ୍ରଦାନ ସମୟରେ ଯୁବ ସମାଜସେବୀ ଆମନ୍ ଚନ୍ଦ୍ର ନାୟକ, ଫିରୋଜ ଦିଗାଲ, ଗଗନ କୁମାର ପ୍ରଧାନ, ସାମନ୍ତ ଶେଖର ନାୟକ, ଅନନ୍ତ ପ୍ରଧାନ ଓ ଆମନ୍ ପ୍ରଧାନ ଉପସ୍ଥିତ ଥିଲେ। ଅଞ୍ଚଳବାସୀଙ୍କ ଦାବି ଓ ସମସ୍ୟା ଶୁଣିବା ପରେ ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ପ୍ରଶାନ୍ତ କୁମାର ମିଶ୍ର ଯଥାଶୀଘ୍ର ସମସ୍ୟାଗୁଡ଼ିକର ସମାଧାନ ଦିଗରେ ପଦକ୍ଷେପ ନିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ।









Comments