ପାଣିରେ ବୁଡ଼ି ସାମ୍ବାଦିକଙ୍କ ପରଲୋକ
ଚଣ୍ଡିଖୋଲ: ପାଣିରେ ବୁଡ଼ି ଜଣେ କାର୍ଯ୍ୟରତ ସାମ୍ବାଦିକଙ୍କର ପରଲୋକ ଘଟିଛି । ଏହି ସାମ୍ବାଦିକ ଜଣକ ହେଉଛନ୍ତି ବଡ଼ଚଣା ବ୍ଲକ ଅନ୍ତର୍ଗତ ଛତିଆ ପଞ୍ଚାୟତର ଇଛାନଗରପାଟଣା ଗ୍ରାମର ସୌମ୍ୟ ରଞ୍ଜନ ସାହୁ (୪୧)। ସେ ମଣିଆ ନାମରେ ଅଞ୍ଚଳରେ ବେସ୍ ପରିଚିତ ଥିଲେ। ସୂଚନା ମୁତାବକ ମଣିଆ ଆଜି (ବୁଧବାର) ପୂର୍ବାହ୍ଣରେ ଘର ନିକଟସ୍ଥ ପୋଖରୀକୁ ଶୌଚ ହେବାକୁ ଯାଇଥିଲେ। ପାହାଚ ଉପରେ ଗୋଡ଼ ଖସି ଯିବାରୁ ସେ ଆହତ ହୋଇଥିଲେ ଓ ଗଭୀର ପାଣି ଭିତରକୁ ଚାଲି ଯାଇଥିଲେ। ନିକଟରେ ଥିବା ଲୋକମାନେ ତାଙ୍କୁ ସେଠାରୁ ଉଦ୍ଧାର କରି ଚିକିତ୍ସା ପାଇଁ ବଡ଼ଚଣା ମେଡ଼ିକାଲରେ ଭର୍ତ୍ତି କରିଥିଲେ । ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା । ଖବର ପାଇ ସ୍ଥାନୀୟ ଅଞ୍ଚଳର ଶହ ଶହ ଲୋକେ ତାଙ୍କ ବାସଭବନରେ ପହଞ୍ଚି ଶେଷ ଦର୍ଶନ ପୂର୍ବକ ଅମର ଆତ୍ମାର ସଦଗତି ପାଇଁ ଈଶ୍ୱରଙ୍କ ନିକଟରେ ପ୍ରାର୍ଥନା ଜଣାଇଥିଲେ । ପରେ ତାଙ୍କ ମରଶରୀରକୁ ଏକ ବିଶାଳ ଶୋଭାଯାତ୍ରାରେ ଗ୍ରାମ ପରିକ୍ରମା କରାଯାଇ ଗ୍ରାମ ଶ୍ମଶାନରେ ସତ୍କାର କରଯଇଥିଲା । ୭ ବର୍ଷର ଏକମାତ୍ର ପୁତ୍ର ମୃତ୍ୟୁଞ୍ଜୟ ମୁଖାଗ୍ନି ଦେଇଥିଲେ । ସ୍ବର୍ଗତ ସାହୁ ଜଣେ ଭଜନ କଣ୍ଠଶିଳ୍ପୀ ଥିଲେ । ଛତିଆ ଅଞ୍ଚଳରେ ଆୟୋଜିତ ପ୍ରତ୍ୟେକଟି ସାଂସ୍କୃତିକ କାର୍ଯ୍ୟକ୍ରମରେ ତାଙ୍କର ପୂର୍ଣ୍ଣ ସହଯୋଗ ରହି ଆସୁଥିଲା । ତାଙ୍କ ଅକାଳ ବିୟୋଗରେ ବିଧାୟକ ଅମର କୁମାର ନାୟକ, ସରପଞ୍ଚ ରମେଶ ଚନ୍ଦ୍ର ପୃଷ୍ଟି, ସମିତି ସଭ୍ୟ ଦୀପକ ସାହୁ,ମହେଶ୍ୱର ଓଝା, ଗିରିଶ ପାତ୍ର, ଅନନ୍ତ କିଶୋର ଷେଣ୍ଢ,ଚନ୍ଦ୍ର ଶେଖର ପୃଷ୍ଟି, ସାମ୍ବାଦିକ ସର୍ବଶ୍ରୀ ଭକ୍ତ ଚରଣ ସାହୁ, ବେଣୁଧର ପଣ୍ଡା, ପ୍ରଦୀପ୍ତ କୁମାର ପୃଷ୍ଟି,ପ୍ରତାପ ରାଉତରାୟ,ବିମଳ ପତି,ସମରେନ୍ଦ୍ର ମାହାଲା, ତାପସ ମିଶ୍ର,ହେମନ୍ତ କୁମାର ଦାଶ, ମହେଶ୍ୱର ରାଉତ,ପ୍ରସନ୍ନ ବିଶ୍ୱାଳ,କାର୍ତ୍ତିକ ଚନ୍ଦ୍ର ରାଉତ, ବିଶ୍ୱଜିତ ଖିଲାର,ବେଦ ପ୍ରକାଶ ନାୟକ,ରାମଚନ୍ଦ୍ର ପାତ୍ର,ଉମାକାନ୍ତ ବେହେରା ଓ ବ୍ରଜ ଗୋପାଳ ଦାସ ପ୍ରମୁଖ ଗଭୀର ଶୋକ ପ୍ରକାଶ କରିଛନ୍ତି ।









Comments