ବାଟ ହୁଡ଼ିଲାଣି ବସ୍ତିମୁକ୍ତ ରାଜଧାନୀ ଯୋଜନା:

ବାଟ ହୁଡ଼ିଲାଣି ବସ୍ତିମୁକ୍ତ ରାଜଧାନୀ ଯୋଜନା:

ବାଟ ହୁଡ଼ିଲାଣି ବସ୍ତିମୁକ୍ତ ରାଜଧାନୀ ଯୋଜନା:

ବାଟ ହୁଡ଼ିଲାଣି ବସ୍ତିମୁକ୍ତ ରାଜଧାନୀ ଯୋଜନା:

 

ଭୁବନେଶ୍ବର: ରାଜ୍ୟ ସରକାର ରାଜଧାନୀ ଭୁବନେଶ୍ବରକୁ ବସ୍ତିମୁକ୍ତ କରିବାକୁ ଅଣ୍ଟା ଭିଡ଼ିଛନ୍ତି। ଏଥିପାଇଁ ରାଜୀବ ଆବାସ ଯୋଜନା ଓ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବସ୍ତିବାସିନ୍ଦାଙ୍କୁ ବାସଗୃହ ଯୋଗାଇ ଦିଆଯାଉଛି। ରାଜ୍ୟରେ ନୂଆ ସରକାର ଆସିବା ପରେ ଏହି ଅଭିଯାନକୁ ଜୋର୍‌ ଦେଇଛନ୍ତି। କିନ୍ତୁ କିଛି ଦୁର୍ନୀତିଖୋର ରାଜନେତା ଓ ଅଧିକାରୀଙ୍କ ଯୋଗୁ ବାଟ ହୁଡ଼ିବାରେ ଲାଗିଛି ସରକାରଙ୍କ ଏହି ମହତ ଲକ୍ଷ୍ୟ। ଫଳସ୍ବରୂପ, ଉଚ୍ଛେଦ ବସ୍ତିରେ ଜବରଦଖଲ ବଢ଼ିଚାଲିବା ସହ ପୁଣି ନୂଆ ଘର ସବୁ ଗଢ଼ି ଉଠିଲାଣି। ଯେଉଁମାନେ ପରବର୍ତ୍ତୀ ସମୟରେ ଅଧିକାରୀଙ୍କୁ ହାତ କରି ମିଛ ବସ୍ତିବାସିନ୍ଦାର ପରିଚୟ ଦେଇ ସରକାରୀ ଘର ହାତଉଛନ୍ତି।କେବଳ ‌‌ଏତିକିରେ ତଞ୍ଚକତା ସରିନାହିଁ, ଯେଉଁ ବସ୍ତିବାସିନ୍ଦାମାନେ ଘର ପାଇ ରହିଲେଣି, ସେମାନେ ବି ପୁରୁଣା ଘରକୁ ଭଡ଼ା ଦେଉଛନ୍ତି। କିଛି ପୁରୁଣା ଘରକୁ ଅନ୍ୟମାନଙ୍କୁ ବିକ୍ରି କରି ଦେଉଥିବା ଅଭିଯୋଗ ହୋଇଛି। ବସ୍ତି ସଂପୂର୍ଣ୍ଣ ଉଚ୍ଛେଦ ନ କରି ଛାଡ଼ିଦେବା, ଏହାର ମୂଳ କାରଣ ହୋଇଥିବାବେଳେ ନଗର ଉନ୍ନୟନ ବିଭାଗ ଓ ଭୁବନେଶ୍ବର ମହାନଗର ନିଗମ ଏଥିପ୍ରତି ଆଖି ବୁଜି ଦେଇଛନ୍ତି। ଶାନ୍ତିପଲ୍ଲୀ ବସ୍ତି, ଭଗବତୀ ବସ୍ତି-୧, ଭଗବତୀ ବସ୍ତି-୨, ନବୀନ ବସ୍ତି, ସତ୍ୟକାଳୀ ବସ୍ତି ଆଦି ଏହାର ଜ୍ବଳନ୍ତ ଉଦାହରଣ। ଏହି ବସ୍ତିର ଲୋକେ ଘର ପାଇ ବର୍ଷ ବର୍ଷ ହେଲାଣି ସରକାରଙ୍କ ପ୍ରଦତ୍ତ ଘରେ ରହିଲେଣି, ତଥାପି ଏଠାରୁ ଜବରଦଖଲ ହଟିପାରିନି। ଓଲଟା ଜବରଦଖଲ ସଂଖ୍ୟା ବଢ଼ିଚାଲିଛି।ବସ୍ତିବାସିନ୍ଦାଙ୍କୁ ଥଇଥାନ ଉଦ୍ଦେଶ୍ୟରେ ୨୦୧୩ ମସିହାରେ ଓଡ଼ିଶାରେ ରାଜୀବ ଆବାସ ଯୋଜନା(ରେ) ସର୍ଭେ କରାଯାଇଥିଲା। ବିସ୍ତୃତ ସର୍ଭେ ପରେ ଯୋଗ୍ୟ ହିତାଧିକାରୀଙ୍କୁ ରାଜୀବ ଆବାସ ପାଇଁ ସ୍ବତନ୍ତ୍ର ନମ୍ବର ଦିଆଗଲା। ୨୦୧୮ ମସିହାରେ ପୁନଃ ବସ୍ତିବାସିନ୍ଦାଙ୍କ ସର୍ଭେ କରାଗଲା। ଡ୍ରୋନ୍‌ ମ୍ୟାପିଂ କରି ଜାଗା ମିସନ୍‌ ଜରିଆରେ ୩୫୪ ବର୍ଗଫୁଟ ପଟ୍ଟା ବଣ୍ଟନ ବ୍ୟବସ୍ଥା କରାଗଲା। ସର୍ଭେ ପରେ ଭୁବନେଶ୍ବର ମହାନଗର ନିଗମ ଅଞ୍ଚଳରେ ପଞ୍ଜୀକୃତ ବସ୍ତି ସଂଖ୍ୟା ୪୮୬ ଥିଲା। କିନ୍ତୁ ଏହି ସଂଖ୍ୟା ଏବେ ଢେର୍‌ ଅଧିକ। ଅପରପକ୍ଷେ, ପୂର୍ବ ସରକାରଙ୍କ ଅମଳରେ ଭୁବନେଶ୍ବର ମହାନଗର ନିଗମର ପ୍ରାୟ ୬୦ହଜାର ବସ୍ତିବାସିନ୍ଦା ପରିବାର ଜାଗା ମିସନ୍‌ରେ ପଟ୍ଟା ପାଇବାକୁ ଯୋଗ୍ୟ ବିବେଚିତ‌ ହୋଇଥିଲେ। ଏହି ବସ୍ତିବାସିନ୍ଦାମାନେ ପଟ୍ଟା ପାଇବାକୁ ୪୦ହଜାର ଟଙ୍କାରୁ ଆରମ୍ଭ କରି ୧ଲକ୍ଷ ପର୍ଯ୍ୟନ୍ତ ଟଙ୍କା ମହାନଗର ନିଗମ ପାଖରେ ଜମା ଦେଇଥିଲେ। ପ୍ରାୟ ୩୦ହଜାର ବସ୍ତିବାସିନ୍ଦାଙ୍କୁ ପଟ୍ଟା ବଣ୍ଟନ କରାଯାଇଥିଲା। ବାକି ଏବେ ବି ପଟ୍ଟା ଅପେକ୍ଷାରେ ରହିଛନ୍ତି। ପରବର୍ତ୍ତୀ ସମୟରେ ୨୦୨୩ ମସିହାରେ ରାଜୀବ ଆବାସ ତାଲିକାଭୁକ୍ତ ବସ୍ତିବାସିନ୍ଦାଙ୍କ ପାଇଁ ସୁଲଭ ଆବାସ ଗୃହର ବ୍ୟବସ୍ଥା କରାଗଲା। ଏ ଭିତରେ ସତ୍ୟନଗର କେଶରୀ ରେସିଡେନ୍ସି, ଚନ୍ଦ୍ରଶେଖପୁର ବୁଦ୍ଧବିହାର, ନୀଳମାଧବ ଭଳି ଆବାସ ପ୍ରକଳ୍ପ ଆଦି ବସ୍ତିବାସିନ୍ଦାଙ୍କ ପାଇଁ କରାଯାଇଛି। ନିକଟରେ ଘାଟିକିଆରେ ୯୨୮ ବସ୍ତିବାସିନ୍ଦା ପରିବାର ରହିବା ପାଇଁ ନୀଳକଣ୍ଠେଶ୍ବର ନିବାସ ଓ ୬୮୦ ବସ୍ତିବାସିନ୍ଦା ପରିବାର ରହିବା ପାଇଁ ଗାଡ଼କଣରେ ମୁକ୍ତେଶ୍ବର ରେସିଡେନ୍ସି ଲୋକାର୍ପିତ ହୋଇଛି। ଏହା ଭିତରେ ରାଜୀବ ଆବାସ ଯୋଜନା ବଦଳି ପ୍ରଧାନମନ୍ତ୍ରୀ ଆବାସ ଯୋଜନା ହୋଇଛି। ଏହି ଯୋଜନାରେ ଭୁବନେଶ୍ବର ମହାନଗର ନିଗମର ପ୍ରାୟ ୩୦ଟି ବସ୍ତିରୁ ୫ହଜାର ବସ୍ତିବାସିନ୍ଦା ପରିବାର ଘର ପାଇ ସାରିଲେଣି। ନିୟମ ଅନୁଯାୟୀ, ଯେଉଁ ବସ୍ତି ଉଚ୍ଛେଦ ହେଉଛି, ସେହି ବସ୍ତିର ରାଜୀବ ଆବାସ ଯୋଜନା ନମ୍ବର ଥିବା ହିତାଧିକାରୀ ସୁଲଭ ଆବାସ ଗୃହ ପାଇବାକୁ ଯୋଗ୍ୟ ବିବେଚିତ ହେବେ। ଏମାନଙ୍କ ପାଖରେ ଲ୍ୟାଣ୍ଡ୍‌ ରେକର୍ଡ ପ୍ରମାଣପତ୍ର, ବିଜୁଳି, ପାଣି, ଗ୍ୟାସ୍‌ ଆଦି ସଂଯୋଗର ବୈଧ କାଗଜପତ୍ର ଥିବା ଆବଶ୍ୟକ। କିନ୍ତୁ ଏବେ ଏଥିରେ ବ୍ୟାପକ ଜାଲିଆତି ହେଉଥିବା ଅଭିଯୋଗ ହୋଇଛି।ମେୟର ସୁଲୋଚନା ଦାସ କହିଛନ୍ତି, ରାଜୀବ ଆବାସ ନମ୍ବର ଓ ଏଲ୍‌ଆର୍‌ସି ଯାଞ୍ଚ ପରେ ବସ୍ତିବାସିନ୍ଦାଙ୍କୁ ଘର ମିଳୁଛି। ତଥାପି ଘର ପାଇବା ପରେ ଲୋକେ ପୁରୁଣା ଘର ଛାଡ଼ୁନଥିବା ଆମ ନଜରକୁ ଆସିଛି। କିଛି ଅଧିକାରୀଙ୍କ ଯୋଗୁ ଏଭଳି ହେଉଛି। ଏହାର ତଦନ୍ତ ପ୍ରକ୍ରିୟା ଚାଲିଛି ଓ ଉଚିତ କାର୍ଯ୍ୟାନୁଷ୍ଠାନ ନିଆଯିବ।