୩ ବର୍ଷ ପରେ ବି ନିର୍ମାଣ ହେଲାନି ୨୦ ଆଶ୍ରୟସ୍ଥଳ: ବାଲେଶ୍ବରକୁ ଡରାଉଛି ବନ୍ୟା, ବାତ୍ୟା

୩ ବର୍ଷ ପରେ ବି ନିର୍ମାଣ ହେଲାନି ୨୦ ଆଶ୍ରୟସ୍ଥଳ: ବାଲେଶ୍ବରକୁ ଡରାଉଛି ବନ୍ୟା, ବାତ୍ୟା

୩ ବର୍ଷ ପରେ ବି ନିର୍ମାଣ ହେଲାନି ୨୦ ଆଶ୍ରୟସ୍ଥଳ: ବାଲେଶ୍ବରକୁ ଡରାଉଛି ବନ୍ୟା, ବାତ୍ୟା

 ୩ ବର୍ଷ ପରେ ବି ନିର୍ମାଣ ହେଲାନି ୨୦ ଆଶ୍ରୟସ୍ଥଳ: ବାଲେଶ୍ବରକୁ ଡରାଉଛି ବନ୍ୟା, ବାତ୍ୟା

 

ବାଲେଶ୍ବର: ପ୍ରତିବର୍ଷ ବାଲେଶ୍ବର ଜିଲ୍ଲାବାସୀଙ୍କୁ ବନ୍ୟା ହନ୍ତସନ୍ତ କରୁଛି। ଅନେକ ସମୟରେ ବାତ୍ୟାର ପ୍ରକୋପ ବି ଜିଲ୍ଲାବାସୀ ଭୋଗୁଛନ୍ତି। ବା‌ଲେଶ୍ବର ଭଳି ଉପକୂଳବର୍ତ୍ତୀ ଜିଲ୍ଲାରେ ଏହିଭଳି ପ୍ରାକୃତିକ ବିପର୍ଯ୍ୟୟ ପାଇଁ ବାତ୍ୟା ଆଶ୍ରୟସ୍ଥଳ ଭଳି ପ୍ରକଳ୍ପର ନିତାନ୍ତ ଆବଶ୍ୟକତା ରହିଛି। ବନ୍ୟା, ବାତ୍ୟାର ମୁକାବିଲା ପାଇଁ ୨୦୨୩-୨୪ ମସିହାରେ ରାଜ୍ୟର ବାଲେଶ୍ବର ସମେତ ‌କେନ୍ଦ୍ରାପଡ଼ା, ପୁରୀ, ଜଗତସିଂହପୁର ଭଳି ବିଭିନ୍ନ ଉପକୂଳବର୍ତ୍ତୀ ଜିଲ୍ଲା ଗୁଡ଼ିକ ପାଇଁ ବାତ୍ୟାଆଶ୍ରୟସ୍ଥଳ ନିର୍ମାଣ କରିବାକୁ ମଞ୍ଜୁରି ମିଳିଥିଲା। ସେମଧ୍ୟରୁ ବାଲେଶ୍ବର ଜିଲ୍ଳା ପାଇଁ ୨୦ଟି ବାତ୍ୟା ଆଶ୍ରୟସ୍ଥଳ ନିର୍ମାଣର ବ୍ୟବସ୍ଥା କରାଯାଇଥିଲା। ଇତିମଧ୍ୟରେ ୩ ଟି ଆର୍ଥିକବର୍ଷ ଅତିକ୍ରାନ୍ତ କରିଥିବା ବେଳେ ଏହି ଆଶ୍ରୟସ୍ଥଳ ଗୁଡ଼ିକ ନିର୍ମାଣ ହୋଇପାରି ନାହିଁ।ସୂଚନା ଅନୁସାରେ, ସଦର ବ୍ଲକର ଆଳୁମେଦା, ଦୁବୁଲାଗଡ଼ି, କୁରାଢିଆ, ଓଡ଼ଙ୍ଗୀ, ରସୁଲପୁର ପଞ୍ଚାୟତ, ସୋର ବ୍ଲକ କେଦାରପୁର ପଞ୍ଚାୟତର କେଦାରପୁର, ତଳନଗର ପଞ୍ଚାୟତର ରହଣିଆ,  ବାହାନଗା ବ୍ଲକ କଲ୍ୟାଣୀ ପଞ୍ଚାୟତର ଭିଲ୍ଲା ଗ୍ରାମ, ବାଲିଆପାଳ ବ୍ଲକର ମଧୁପୁରା ପଞ୍ଚାୟତର ଚୌଧୁରୀକୁଦା, ଜଳେଶ୍ବର ବ୍ଲକ ପଶ୍ଚିମବାଡ଼ ପଞ୍ଚାୟତର ପଶ୍ଚିମବାଡ଼, ନୀଳଗିରି ବ୍ଲକ ଗରଡିହି ପଞ୍ଚାୟତର କୁଞ୍ଚିବଣିଆ, ଔପଦା ବ୍ଲକ ଦକ୍ଷିଣ ନରସିଂହପୁର ପଞ୍ଚାୟତର ଚଷାଖଣ୍ଡ, ରେମୁଣା ବ୍ଲକ ପତ୍ରିପାଳ ପଞ୍ଚାୟତର ବାହାର୍ଦ୍ଦା, ବସ୍ତା ବ୍ଲକ୍‌ର ବାହାର୍ଦ୍ଦା, ସାହାଦା‌, ଭୋଗରାଇ ବ୍ଲକର ଆରୁହାବୃତ୍ତ-୧, କାନ୍ଥିଭଉଁରି ଆଦି ପଞ୍ଚାୟତରେ ଏହି ବାତ୍ୟା ଆଶ୍ରୟସ୍ଥଳ ସବୁ ନିର୍ମାଣ  ପାଇଁ ମଞ୍ଜୁରି ମିଳିଥିଲା। ଏହି ପଞ୍ଚାୟତଗୁଡ଼ିକ ବନ୍ୟା ସମୟରେ ଅତ୍ୟଧିକ ପ୍ରଭାବିତ ହେଉଥିବାରୁ ଏବଂ ସ୍ଥାନୀୟ ଗ୍ରାମଗୁଡ଼ିକରେ ପାଣି ପଶିଯାଉଥିବାରୁ ସରକାର ଏହି ପଦକ୍ଷେପ ନେଇଥିଲେ। ହେଲେ, ୩ବର୍ଷ ପରେ ମଧ୍ୟ ଏହିସବୁ ଆଶ୍ରୟସ୍ଥଳ ନିର୍ମାଣ ହୋଇନାହିଁ। ଏହି ସବୁ ପ୍ରସ୍ତାବିତ ଆଶ୍ରୟସ୍ଥଳ ମଧ୍ୟରୁ କାହାର ଜମି ଚିହ୍ନଟ ପ୍ରକ୍ରିୟା ଜାରି ରହିଥିବା, ହାତ ଗଣତି କିଛି ଆଶ୍ରୟସ୍ଥଳ ନିମନ୍ତେ ଚୁକ୍ତି ହୋଇଥିବା ଗ୍ରାମ୍ୟ ଉନ୍ନୟନ ବିଭାଗର ତଥ୍ୟ କହୁଛି। ଅନ୍ୟପକ୍ଷରେ, ଆଶ୍ରୟସ୍ଥଳ ନଥିବାରୁ ସ୍ଥାନୀୟ ଅଞ୍ଚଳବାସୀ ପ୍ରାକୃତିକ ଦୁର୍ବିପାକ ସମୟରେ ଭୟଭୀତ ହୋଇ ପଡ଼ୁଛନ୍ତି।  ସୋର ବ୍ଲକ୍‌ ତଳନଗର ଗ୍ରାମପଞ୍ଚାୟତର ପୂର୍ବତନ ସରପଞ୍ଚ ରାଜେନ୍ଦ୍ର ପ୍ରସାଦ ଦାସ କହିଛନ୍ତି, ‘ଆମ ପଞ୍ଚାୟତର ଅଧା ୱାର୍ଡ ବନ୍ୟା ପ୍ରଭାବିତ ହୁଏ।  ଏନେଇ ଦାବି ପରେ ସେତେବେଳେ ସରକାର ଆଶ୍ରୟସ୍ଥଳ ମଞ୍ଜୁର କରିଥିଲେ ବି ଏପର୍ଯ୍ୟନ୍ତ ନିର୍ମାଣ ହୋଇପାରିନି। ଏହାର କାରଣ ଆମେ ଜାଣିପାରୁ ନାହୁଁ।’ ସେହିପରି, ବାଲିଆପାଳ ବ୍ଲକ ମଧୁପୁର ପଞ୍ଚାୟତର ସରପଞ୍ଚ ଗୀତାରାଣୀ ମାହାନା କହିଛନ୍ତି, ‘ଆମ ପଞ୍ଚାୟତ ବନ୍ୟାରେ ସର୍ବାଧିକ ପ୍ରଭାବିତ ହୁଏ। ଆଶ୍ରୟସ୍ଥଳ ନିର୍ମାଣ ପାଇଁ  ଟେଣ୍ଡର ସରିଥିଲେ ବି ସରକାର ଅନୁଦାନ ଦେଉନଥିବାରୁ ନିର୍ମାଣ କାମ ଆରମ୍ଭ ହୋଇପାରୁନଥିବା କୁହାଯାଉଛି।’ ଜିଲ୍ଲାରେ ବିଭିନ୍ନ ସ୍ଥାନରେ ଏଭଳି ବିଭିନ୍ନ କାରଣରୁ ଆଶ୍ରୟସ୍ଥଳ ନିର୍ମାଣ ହୋଇପାରୁନଥିବା ବେଳେ ଏଥିପ୍ରତି ରାଜ୍ୟ ସରକାର ଦୃଷ୍ଟିଦେବାକୁ ଦାବି ହେଉଛି।