‘ଅର୍ଣ୍ଣବ’ ଉଜାଡ଼ିଦେଲା ପରିବାର, ମାଟି ଅତଡ଼ା ତଳେ ଚାପି ହୋଇଗଲେ ୩ ସଦସ୍ୟ
‘ଅର୍ଣ୍ଣବ’ ଉଜାଡ଼ିଦେଲା ପରିବାର, ମାଟି ଅତଡ଼ା ତଳେ ଚାପି ହୋଇଗଲେ ୩ ସଦସ୍ୟ
‘ଅର୍ଣ୍ଣବ’ ଉଜାଡ଼ିଦେଲା ପରିବାର, ମାଟି ଅତଡ଼ା ତଳେ ଚାପି ହୋଇଗଲେ ୩ ସଦସ୍ୟ
ଫୁଲବାଣୀ : ବାତ୍ୟା ‘ଅର୍ଣ୍ଣବ’ ଗୋଟିଏ ପରିବାରକୁ ସମ୍ପୂର୍ଣ୍ଣ ଭାବେ ଉଜାଡ଼ି ଦେଇଛି। ଭୂସ୍ଖଳନରେ ଗୋଟିଏ ପରିବାରର ୩ ଜଣ ସଦସ୍ୟଙ୍କ ପ୍ରାଣ ଚାଲିଯାଇଛି। କନ୍ଧମାଳଜିଲ୍ଲା ରାଇକିଆ ଥାନା ଅନ୍ତର୍ଗତ ମାଣିକେଶ୍ବର ପଞ୍ଚାୟତର ଡାଙ୍ଗେଶି ଗ୍ରାମରେ ଭୂସ୍ଖଳନ ଘଟି ଗୋଟିଏ ପରିବାରର ୩ ଜଣଙ୍କର ମୃତ୍ୟୁ ଘଟିଛି। ପ୍ରଥମେ ଏମାନେ କେଉଁଆଡ଼େ ନିଖୋଜ ହୋଇଯାଇଥିଲେ ବୋଲି ଗ୍ରାମବାସୀ କହୁଥିଲେ। ମାତ୍ର ପରବର୍ତ୍ତୀ ସମୟରେ ଅଗ୍ନିଶମ ବାହିନୀ ଏବଂ ଗ୍ରାମବାସୀ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିବା ପରେ ଭୂସ୍ଖଳନ ଘଟିଥିବା ମାଟି ଅତଡ଼ା ତଳୁ ଏହି ନିଖୋଜ ୩ ଜଣଙ୍କ ମୃତ ଦେହର ସନ୍ଧାନ ପାଇଥିଲେ। ମୃତକମାନେ ହେଉଛନ୍ତି ଡାଙ୍ଗେଶି ଗ୍ରାମର ଅଚ୍ୟୁତ ପ୍ରଧାନ (୩୦), ତାଙ୍କ ପତ୍ନୀ ମାନସୀ ପ୍ରଧାନ (୨୭) ଏବଂ ସେମାନଙ୍କର ୭ ମାସର ଶିଶୁପୁତ୍ର। ନିଜ ଘରଠାରୁ ମାତ୍ର ୨୦୦ ମିଟର ଦୂରରେ ମାଟି ଅତଡ଼ା ତଳୁ ଏବଂ ପଙ୍କ ମଧ୍ୟରୁ ଏହି ୩ଟି ମୃତ ଦେହକୁ ଆଜି ଉଦ୍ଧାର କରାଯାଇଛି। ସୂଚନାଯୋଗ୍ୟ, ଗତକାଲି ସକାଳେ ପ୍ରବଳ ଭୂସ୍ଫଳନ ଯୋଗୁଁ ଅଚ୍ୟୁତଙ୍କ ଘର ସମ୍ପୂର୍ଣ୍ଣ ଭାବେ ଭାସି ଯାଇଥିଲା। ଅଚ୍ୟୁତଙ୍କ ଘର ନିକଟସ୍ଥ ଏକ ପାହାଡ଼ ତଳି ଅଞ୍ଚଳରେ ଥିବାରୁ ପ୍ରବଳ ବର୍ଷା ଯୋଗୁଁ, ପାହାଡ଼ ଉପରୁ ଭୀଷଣ ବେଗରେ ପାଣି ମାଡ଼ି ଆସିଥିଲା। ଫଳରେ ପାହାଡ଼ରୁ ଆସିଥିବା ପଙ୍କ, କାଦୁଅ ଏବଂ ବାଲିରେ ଅଚ୍ୟୁତଙ୍କ ଘର ଭାସି ଯିବା ସହ ସେଠାରେ ପଟୁ ଚଢ଼ି ଯାଇଥିଲା। ଗତକାଲିଠାରୁ ଅଚ୍ୟୁତ ଏବଂ ତାଙ୍କ ପତ୍ନୀ ତଥା ୭ ମାସର ଶିଶୁପୁତ୍ର କେଉଁଆଡ଼େ ନିଖୋଜ ହୋଇଯାଇଥିଲେ। ସେମାନଙ୍କ ସମ୍ପର୍କରେ ଗ୍ରାମବାସୀଙ୍କ ନିକଟରେ କିଛି ବି ଖବର ନଥିଲା। ଗତକାଲି ପ୍ରବଳ ଜଳସ୍ରୋତ ଏବଂ ପାହାଡ଼ରୁ ଖସିଥିବା ମାଟି ଅତଡ଼ା ଯୋଗୁଁ ଉଦ୍ଧାର କାର୍ଯ୍ୟରେ ବାଧା ସୃଷ୍ଟି ହୋଇଥିଲା। ବହୁ କଷ୍ଟରେ ଗ୍ରାମବାସୀ ଏବଂ ଅଗ୍ନିଶମ କର୍ମଚାରୀ ଆଜି ସନ୍ଧ୍ୟାରେ ଖୋଜାଖୋଜି କରିବା ପରେ ମାଟି ଅତଡ଼ା ତଳୁ ଏମାନଙ୍କ ଶବ ଉଦ୍ଧାର ସମ୍ଭବ ହୋଇଥିଲା। ଏହି ଘଟଣା ଘଟିବା ପରେ ରାଜ୍ୟ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାୟକ ମାଣିକେଶ୍ବର ପଞ୍ଚାୟତର କ୍ଷତିଗ୍ରସ୍ତ ଅଞ୍ଚଳ ପରିଦର୍ଶନ କରିଥିଲେ। ଏହି ଅବସରରେ ମୃତକଙ୍କ ପରିବାରକୁ ଜଣଙ୍କ ପିଛା ୪ ଲକ୍ଷ ଟଙ୍କା ହିସାବରେ ମୋଟ ୧୨ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ମନ୍ତ୍ରୀ ଶ୍ରୀ ନାୟକ ଘୋଷଣା କରିଛନ୍ତି। ଏଭଳି ଏକ ମର୍ମନ୍ତୁଦ ଘଟଣାରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ଅନ୍ୟପଟେ, ‘ଅର୍ଣ୍ଣବ’ ଏବଂ ଭୂସ୍ଖଳନ ଯୋଗୁଁ କ୍ଷତିଗ୍ରସ୍ତ ହୋଇଥିବା ରାଇକିଆ ବ୍ଲକର ମାଣିକେଶ୍ବର ପଞ୍ଚାୟତର ଡାଙ୍ଗେଶି ଗ୍ରାମର ଅନ୍ୟାନ୍ୟ ପରିବାରକୁ ମଧ୍ୟ ଉଚିତ୍ କ୍ଷତିପୂରଣ ଯୋଗାଇ ଦିଆଯିବ ବୋଲି କନ୍ଧମାଳ ଜିଲ୍ଲାପାଳ ବେଦଭୂଷଣ ପ୍ରକାଶ କରିଛନ୍ତି।

