ଶିକ୍ଷକ-ଶିକ୍ଷୟିତ୍ରୀଙ୍କ ପଦୋନ୍ନତିରେ ତଞ୍ଚକତା
ଶିକ୍ଷକ-ଶିକ୍ଷୟିତ୍ରୀଙ୍କ ପଦୋନ୍ନତିରେ ତଞ୍ଚକତା
ଶିକ୍ଷକ-ଶିକ୍ଷୟିତ୍ରୀଙ୍କ ପଦୋନ୍ନତିରେ ତଞ୍ଚକତା
ଭୁବନେଶ୍ୱର: ଖୋର୍ଦ୍ଧା ଜିଲ୍ଲାର ପ୍ରାଥମିକ ଶିକ୍ଷକ-ଶିକ୍ଷୟିତ୍ରୀଙ୍କ ପଦୋନ୍ନତି ପ୍ରକ୍ରିୟାରେ ଅସଙ୍ଗତି ସାମ୍ନାକୁ ଆସିଛି। କେଉଁଠି ଯୋଗ୍ୟତା ନ ଥିବା ଶିକ୍ଷକ-ଶିକ୍ଷୟିତ୍ରୀଙ୍କୁ ପଦୋନ୍ନତି ମିଳିଛି ତ ଆଉ କେଉଁଠି ଭିଜିଲାନ୍ସ ମାମଲା ବିଚାରାଧୀନ ଥିବା କେତେକ ଶିକ୍ଷକଙ୍କୁ ପଦୋନ୍ନତି ପାଇଁ ଚୟନ ତାଲିକାରେ ସ୍ଥାନ ମିଳିଛି। ଶିକ୍ଷକଙ୍କ ପଦୋନ୍ନତି ତାଲିକାକୁ ନେଇ ପ୍ରଶାସନିକ ସ୍ତରରେ ପ୍ରଶ୍ନ ଉଠିବା ପରେ ଜିଲ୍ଲାସ୍ତରୀୟ ପଦୋନ୍ନତି କମିଟି (ଡିଏଲ୍ପିସି)ର ସୁପାରିଶକୁ ପୁନଃ ଯାଞ୍ଚ କରିବାକୁ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ଖୋର୍ଦ୍ଧା ଜିଲ୍ଲା ଶିକ୍ଷା ଅଧିକାରୀ(ଡିଇଓ)ଙ୍କୁ ନିର୍ଦ୍ଦେଶ ଦିଆଯାଇଛି।ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ଖୋର୍ଦ୍ଧା ଡିଇଓଙ୍କୁ ଲେଖାଯାଇଥିବା ଚିଠିରେ ଦର୍ଶାଯାଇଛି ଯେ ଅକ୍ଟୋବର ୮ରେ ଅନୁଷ୍ଠିତ ଡିଏଲ୍ପିସି ବୈଠକର କାର୍ଯ୍ୟ ବିବରଣୀ ଯାଞ୍ଚ ସମୟରେ ଏକାଧିକ ତ୍ରୁଟି ନଜରକୁ ଆସିଛି। ବିଭାଗୀୟ ଶୃଙ୍ଖଳାଗତ ପ୍ରକ୍ରିୟା ଓ ଭିଜିଲାନ୍ସ ମାମଲା ବିଚାରାଧୀନ ଥିବା କେତେକ ଶିକ୍ଷକ-ଶିକ୍ଷୟିତ୍ରୀଙ୍କୁ ପଦୋନ୍ନତି ପାଇଁ ଚୟନ ତାଲିକାରେ ସ୍ଥାନ ଦିଆଯାଇଛି। ସେହିପରି ଉଚ୍ଚତର ଯୋଗ୍ୟତାକୁ ନେଇ ଆପତ୍ତି ଉଠିଥିବା କେତେକ ଶିକ୍ଷକ ଏବଂ ଦୀର୍ଘଦିନ ଧରି ଅନୁପସ୍ଥିତ ଥିବା ଜଣେ ଶିକ୍ଷକଙ୍କ ନାମ ପଦୋନ୍ନତି ତାଲିକାରେ ସ୍ଥାନ ମିଳିଛି। ସଂରକ୍ଷିତ ବର୍ଗର ଶିକ୍ଷକଙ୍କ ପଦୋନ୍ନତି ମାମଲାକୁ ଓଡ଼ିଶା ସିଭିଲ୍ ସର୍ଭିସେସ୍ (ପଦୋନ୍ନତି ମାନଦଣ୍ଡ) ନିୟମ, ୨୦୨୨ର ଧାରା ୩(କ) ଅନୁଯାୟୀ ବିଚାର କରିବାକୁ ଦାବି ହୋଇଛି। ଏଥି ସହ ଭାରତୀ ଦାସ ନାମକ ଜଣେ ଶିକ୍ଷୟିତ୍ରୀଙ୍କ ପଦୋନ୍ନତି ମାମଲା ବିଚାରକୁ ନିଆଯାଇନଥିବା ଅଭିଯୋଗ ଆସିଛି।ଏହାବ୍ୟତୀତ ହାଇକୋର୍ଟରେ ବିଚାରାଧୀନ ମାମଲା ସମ୍ପର୍କିତ ଆଦେଶକୁ ମଧ୍ୟ ଚିଠିରେ ଉଲ୍ଲେଖ କରାଯାଇଛି। ଲେଭଲ୍-୪ରୁ ଲେଭଲ୍-୩କୁ ବରିଷ୍ଠ ପ୍ରଧାନଶିକ୍ଷକ ପଦୋନ୍ନତି ସମ୍ପର୍କରେ ହାଇକୋର୍ଟଙ୍କ ନିର୍ଦ୍ଦେଶ ଥିବାରୁ ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ଏହି ପ୍ରକ୍ରିୟା ଆଗକୁ ନ ବଢ଼ାଇବାକୁ କୁହାଯାଇଛି। ଅକ୍ଟୋବର ୮ରେ ଡିଏଲ୍ପିସି ସୁପାରିଶକୁ ପୁନଃ ଯାଞ୍ଚ ସହ ସଂରକ୍ଷିତ ବର୍ଗର ଶିକ୍ଷକଙ୍କ ପଦୋନ୍ନତି ମାମଲାକୁ ସରକାରୀ ନିୟମ ଅନୁଯାୟୀ ପୁନର୍ବିଚାର କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସମ୍ପୃକ୍ତ ଶିକ୍ଷକଙ୍କ ଆପତ୍ତି ଓ ଅଭିଯୋଗଗୁଡ଼ିକୁ ମଧ୍ୟ ଏହି ପ୍ରକ୍ରିୟାରେ ବିଚାର କରିବାକୁ କୁହାଯାଇଛି।

