ଚୀନ୍‌ରୁ ନିର୍ଦ୍ଦେଶ, ସୋରରେ କାରବାର! ଠକିଛନ୍ତି ୨.୫ କୋଟି

ଚୀନ୍‌ରୁ ନିର୍ଦ୍ଦେଶ, ସୋରରେ କାରବାର! ଠକିଛନ୍ତି ୨.୫ କୋଟି

ଚୀନ୍‌ରୁ ନିର୍ଦ୍ଦେଶ, ସୋରରେ କାରବାର! ଠକିଛନ୍ତି ୨.୫ କୋଟି

ଚୀନ୍‌ରୁ ନିର୍ଦ୍ଦେଶ, ସୋରରେ କାରବାର! ଠକିଛନ୍ତି ୨.୫ କୋଟି

 

ବାଲେଶ୍ୱର/ ଚଢ଼େଇଧରା: ବାଲେଶ୍ବରରେ ଏକ ବଡ଼ଧରଣର ସାଇବର୍‌ ଠକେଇ ସାମନାକୁ ଆସିଛି। ମ୍ୟୁଲ୍‌ ବ୍ୟାଙ୍କ ଆକାଉଣ୍ଟ ମାଧ୍ୟମରେ ପ୍ରାୟ ୨.୫ କୋଟି ଟଙ୍କାର ଠକେଇ କରାଯାଇଛି। ଠକେଇର ଚେର ଚୀନ୍‌ ଯାଏଁ ଲମ୍ବିଛି। ଏହି ଠକେଇର କାର୍ପଟଦାର ଚୀନ୍‌ରେ ରହୁଥିବା ବେଳେ ସୋରରେ ରହି ତାମିଲନାଡ଼ୁର ଜଣେ ବ୍ୟକ୍ତି କାରବାର ଚଳାଇଥିଲା। ଏହି ଘଟଣାରେ ପୁଲିସ ୩ ଜଣଙ୍କୁ ଗିରଫ କରିଛି। ସାମ୍ବାଦିକ ସମ୍ମିଳନୀରେ ଅତିରିକ୍ତ ଏସ୍‌ପି ପରେଶ ରାଉତ କହିଛନ୍ତି, ଏକ ସୂତ୍ରରୁ ଖବର ପାଇ ସାଇବର ଥାନା ପୁଲିସ ସୋରସ୍ଥିତ ଏକ ହୋଟେଲରେ ଚଢ଼ଉ କରିଥିଲା। ସେଠାରେ ତାମିଲନାଡ଼ୁର ଜଣେ ବ୍ୟକ୍ତି ରହିଥିବା ଜଣାପଡ଼ିଥିଲା। ପଚରାଉଚରା ସମୟରେ ସମ୍ପୃକ୍ତ ବ୍ୟକ୍ତି ଜଣକ ୨୦୨୬ ଅକ୍ଟୋବର ୧୪ରେ ଏକ ବ୍ୟାଙ୍କ ଆକାଉଣ୍ଟ ମାଧ୍ୟମରେ ପ୍ରାୟ ୨.୫ କୋଟି ଟଙ୍କାର ଠକେଇ କରିଥିବା ସ୍ବୀକାର କରିଛି। ଚୀନ୍‌ରେ ରହୁଥିବା କାର୍ପଟଦାରଙ୍କ ନିର୍ଦ୍ଦେଶରେ ଠକେଇ କାରବାର ଚଳାଇଥିବା ଜଣାପଡ଼ିଛି। ଏହି ଘଟଣାରେ ପୁଲିସ ତାମିଲନାଡ଼ୁର ରାନିପେଟ ଜିଲ୍ଲା ଅନ୍ତର୍ଗତ କାଭେରୀପାକ୍କମ ଅଞ୍ଚଳର ହରିନାଥ କେ. (୪୯)ଙ୍କ ସମେତ ୩ ଜଣଙ୍କୁ ଗିରଫ କରିଛି। ଅନ୍ୟ ୨ଜଣ ହେଲେ, ଯାଜପୁର ଜିଲ୍ଲା ଜେନାପୁର ଥାନା ଅନ୍ତର୍ଗତ ଅଣ୍ଟିଆ ପଞ୍ଚାୟତର ପୂର୍ବତନ ସରପଞ୍ଚ ଝରଣା ଜେନା ଓ ତାଙ୍କ ସ୍ୱାମୀ ବସନ୍ତ କୁମାର ଜେନା। ଏନେଇ ବାଲେଶ୍ୱର ସାଇବର ଥାନାରେ କେସ୍ ନମ୍ବର ୪୩ରେ ଭାରତୀୟ ନ୍ୟାୟ ସଂହିତା (ବିଏନ୍‌ଏସ୍‌)ର ଧାରା ୩୧୮(୪), ୩୧୯(୨), ୬୧(୨)(କ), ୧୧୧(୩), ୩(୫) ଏବଂ ଆଇଟି ଆକ୍ଟର ଧାରା ୬୬(ସି), ୬୬(ଡି) ଅନୁଯାୟୀ ମାମଲା ରୁଜୁ କରାଯାଇଛି। ଘଟଣାର ଅଧିକ ତଦନ୍ତ ଚାଲିଥିବା ବାଲେଶ୍ୱର ପୁଲିସ ପକ୍ଷରୁ କୁହାଯାଇଛି। ଅଭିଯୁକ୍ତ ହରିନାଥ ଚୀନରେ ପ୍ରେମ ବିବାହ କରିଛି। ସେଠାରୁ ଭାରତର କିଛି ଗରିବ ଲୋକଙ୍କୁ ଟାର୍ଗେଟ କରି ସାଇବର ଅପରାଧରୁ ମିଳୁଥିବା ଅର୍ଥକୁ ସାଧାରଣ ଲୋକଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସ୍ଥାନାନ୍ତର କରିବା ସହ ବଦଳରେ ସେମାନଙ୍କୁ କିଛି କମିସନ ଦେଇ ବିପୁଳ ଅର୍ଥରାଶି ହଡ଼ପ କରୁଥିଲେ। ତିନିଜଣ ଅଭିଯୁକ୍ତଙ୍କ ବିରୋଧରେ ବେଙ୍ଗାଲୁରୁ ସମେତ ଭାରତର ବିଭିନ୍ନ ରାଜ୍ୟରେ ମାମଲା ରହିଛି।ଅଭିଯୁକ୍ତମାନେ ଜେନାପୁରର ଏହି ଦମ୍ପତିଙ୍କ ନାମରେ ଥିବା ବ୍ୟାଙ୍କ ଆକାଉଣ୍ଟକୁ ବେଆଇନ କାରବାର ପାଇଁ ବ୍ୟବହାର କରୁଥିଲେ। ଚୀନରେ ଥିବା ମାଷ୍ଟରମାଇଣ୍ଡଙ୍କ ନିର୍ଦ୍ଦେଶରେ ଭାରତର ବିଭିନ୍ନ ସ୍ଥାନରେ ଏଭଳି ନକଲି ବା ‘ମ୍ୟୁଲ୍ ଆକାଉଣ୍ଟ’ ଖୋଲାଯାଇ କୋଟିକୋଟି ଟଙ୍କା କାରବାର କରାଯାଉଥିଲା। ଗିରଫ ଅଭିଯୁକ୍ତମାନଙ୍କଠାରୁ ମୋବାଇଲ୍ ଫୋନ୍ ଏବଂ ଅନ୍ୟାନ୍ୟ ସାମଗ୍ରୀ ଜବତ କରାଯାଇଛି। ସାମ୍ବାଦିକ ସମ୍ମିଳନୀରେ ବାଲେଶ୍ବର ସାଇବର୍‌ ଥାନା ଅଧିକାରୀ ମୀନା ବିନ୍ଧାଣୀ ଉପସ୍ଥିତ ଥିଲେ।