ଦରଦାମ ଅଣାୟତ୍ତ: ଅଟା, ସୁଜି, ମଇଦା ମହଙ୍ଗା
ଦରଦାମ ଅଣାୟତ୍ତ: ଅଟା, ସୁଜି, ମଇଦା ମହଙ୍ଗା
ଦରଦାମ ଅଣାୟତ୍ତ: ଅଟା, ସୁଜି, ମଇଦା ମହଙ୍ଗା
ଭୁବନେଶ୍ବର: ବଜାରରେ ଦରଦାମ ବେକାବୁ ହୋଇଗଲାଣି। ଅତ୍ୟାବଶ୍ୟକ ଖାଦ୍ୟ ସାମଗ୍ରୀ ଦର ଦିନକୁ ଦିନ ନିୟନ୍ତ୍ରଣ ବାହାରକୁ ଯାଉଥିବାରୁ ଏହା ସାଧାରଣ ଖାଉଟିକୁ ଅସ୍ତବ୍ୟସ୍ତ କଲାଣି। ଯେତେ ରୋଜଗାର କଲେ ମଧ୍ୟ ନିମ୍ନ ଓ ମଧ୍ୟମ ଆୟବର୍ଗର ଲୋକଙ୍କ ପାଇଁ ଚଳିବା କଷ୍ଟକର ହୋଇପଡ଼ିଛି। କିଛିଦିନ ପୂର୍ବରୁ ଚାଉଳ, ଡାଲି, ଚିନି ଦର ବଢ଼ିଥିଲା। ଏବେ ଗହମ, ଅଟା, ସୁଜି ଓ ମଇଦା ଆଦି ଦରରେ ବଡ଼ ବୃଦ୍ଧି ଦେଖାଦେଇଛି। ଗତ ୧୦ ଦିନ ମଧ୍ୟରେ ଗହମ ଓ ଗହମଜାତ ଦ୍ରବ୍ୟର ଦର ୧୫ରୁ ୨୦ ପ୍ରତିଶତ ବଢ଼ିଯାଇଛି। ଭୁବନେଶ୍ବର ପାଇକାରୀ ବଜାରରେ ୪୯ କେଜିର ଅଟାବସ୍ତା ଯାହା ପୂର୍ବରୁ ୧୩୦୦ରୁ ୧୪୦୦ ଟଙ୍କାରେ ବିକ୍ରି ହେଉଥିଲା ଏବେ ତାହା ୧୭୦୦ ଟଙ୍କା ହୋଇଯାଇଛି। ଅର୍ଥାତ୍ ବସ୍ତା ପିଛା ଦର ୩୦୦ରୁ ୪୦୦ ଟଙ୍କା ବଢ଼ିଯାଇଛି। ସେହିଭଳି ସୁଜି ବସ୍ତା ପିଛା ୨୫୦ ଟଙ୍କା ବଢ଼ିଯାଇଛି। ପୂର୍ବରୁ ୪୯ କେଜିର ସୁଜି ବସ୍ତା ଦାମ୍ ୧୮୦୦ ଟଙ୍କା ଥିବାବେଳେ ବର୍ତ୍ତମାନ ତାହା ୨୦୫୦ ଟଙ୍କାରେ ବିକ୍ରି ହେଉଛି। ସେହିଭଳି ମଇଦା ମଧ୍ୟ ବସ୍ତା ପିଛା ୨୦୦ ଟଙ୍କା ବଢ଼ି ୧୭୦୦ ଟଙ୍କା ହୋଇଯାଇଛି। ବାହାର ରାଜ୍ୟରୁ ଓଡ଼ିଶା ଆସି ବିକ୍ରି ହେଉଥିବା ଫାଇନ ଓ ସୁପର ଫାଇନ ଚାଉଳ କ୍ବିଣ୍ଟାଲ ପିଛା ୨ ହଜାରରୁ ୩ ହଜାର ଟଙ୍କା ବଢ଼ିଯାଇଛି। ଡାଲି ଦର ମଧ୍ୟ ଚଳିତବର୍ଷ କ୍ବିଣ୍ଟାଲ ପିଛା ୩୫୦୦ ଟଙ୍କା ବଢ଼ିଛି। ସରକାର ନିକଟରେ ଆମଦାନି ଶୁଳ୍କ କମାଇବା ପରେ ଯଦିଓ ପାମୋଲିନ ଓ ସନଫ୍ଲାୱାର ତେଲ ଦର କମିଛି ତଥାପି ସୋରିଷ ତେଲ ଦର ବଢ଼ିଚାଲିଛି। ସୋରିଷ ତେଲ କ୍ବିଣ୍ଟାଲ ପିଛା ପ୍ରାୟ ୨ ହଜାର ଟଙ୍କା ମହଙ୍ଗା ହୋଇଯାଇଛି। ଏହାର ପ୍ରଭାବ ଖୁଚୁରା ବଜାର ଉପରେ ପଡ଼ିଛି। ଏଥିସହିତ ଖୁଚୁରା ଦର ଉପରେ ସରକାର ନଜର ନରଖିବା କାରଣରୁ ଅନେକ ବ୍ୟବସାୟୀ ମନଇଚ୍ଛା ଚଢ଼ା ଦରରେ ଏସବୁ ସାମଗ୍ରୀ ବିକ୍ରି କରୁଛନ୍ତି।ଗୋଟିଏ ପରେ ଗୋଟିଏ ଅତ୍ୟାବଶ୍ୟକ ସାମଗ୍ରୀର ଦରବୃଦ୍ଧି ସାଧାରଣ ଖାଉଟିଙ୍କ ଚିନ୍ତା ବଢ଼ାଇ ଦେଇଛି। ସୀମିତ ତଥା ଅଳ୍ପ ରୋଜଗାରରେ ବଞ୍ଚୁଥିବା ବ୍ୟକ୍ତିମାନେ ଘରୁ ଗୋଡ଼ କାଢ଼ିବା ପୂର୍ବରୁ ବଜାରକୁ ଯିବେ କି ନାହିଁ ସେ ନେଇ ଅନେକ ଥର ଭାବୁଛନ୍ତି। ଦରଦାମ ବୃଦ୍ଧି ସମସ୍ୟା ସବୁ ସମୟରେ ଥିଲେ ମଧ୍ୟ ଗତ କିଛି ବର୍ଷ ହେଲା ଏହା ଅଧିକ ଅନିୟନ୍ତ୍ରିତ ହୋଇପଡ଼ିଛି। ବିଶେଷକରି ଖୁଚୁରା ବଜାରରେ ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜିନିବେଶ (ଏଫ୍ଡିଆଇ)କୁ ଅନୁମତି ଦେବା ଏବଂ ପୁଞ୍ଜିପତିମାନେ ଏହି ବ୍ୟବସାୟରେ ପ୍ରବେଶ କରିବା ଫଳରେ ଦରଦାମ୍ ଅସ୍ବାଭାବିକ ଭାବେ ବଢ଼ୁଛି। ବିଶେଷଜ୍ଞଙ୍କ ମତରେ ମୁକ୍ତ ବଜାର ଅର୍ଥନୀତିରେ ଦରଦାମ୍ ବଢ଼ିବା କିମ୍ବା କମିବା ଏକ ସ୍ବାଭାବିକ ଘଟଣା।ଖୁଚୁରା ବଜାରରେ ଏଫ୍ଡିଆଇ ଆସିବା ପୂର୍ବରୁ ଦରଦାମ ୨ ପ୍ରତିଶତରୁ ୫ ପ୍ରତିଶତ ବଢ଼ୁଥିଲା କିମ୍ବା କମୁଥିଲା। କିନ୍ତୁ ଏବେ ଦରଦାମ ରାତାରାତି ଅସ୍ବାଭାବିକ ଭାବେ ବଢ଼ିଯାଉଛି। ଏହି ପରିପ୍ରେକ୍ଷୀରେ ଓଡ଼ିଶା ବ୍ୟବସାୟୀ ମହାସଂଘର ମହାସଚିବ ତଥା ସିଏଆଇଟିର ଯୁଗ୍ମସଚିବ ସୁଧାକର ପଣ୍ଡା କହିଛନ୍ତି ଖୁଚୁରା ବ୍ୟବସାୟରେ ଏଫ୍ଡିଆଇକୁ ଅନୁମତି ଦେବା ସରକାରଙ୍କ ଏକ ଐତିହାସିକ ଭୁଲ। ତାଙ୍କ ମତରେ ବର୍ତ୍ତମାନର ଦରଦାମ ବୃଦ୍ଧି ଭଳି ପରିସ୍ଥିତିରେ ଖୁଚୁରା ବ୍ୟବସାୟରେ ଏଫ୍ଡିଆଇ ପ୍ରବେଶ ଅନୁମତିକୁ ପ୍ରତ୍ୟାହାର ପାଇଁ ରାଜ୍ୟ ସରକାର କେନ୍ଦ୍ର ଉପରେ ଚାପ ପକାନ୍ତୁ। ଏଥିସହ ଭାରତୀୟ ଖାଦ୍ୟ ନିଗମ ବା ଏଫସିଆଇରେ ଥିବା ଗହମକୁ ଖୋଲା ବଜାରରେ ତୁରନ୍ତ ବିକ୍ରି କରିବାକୁ କେନ୍ଦ୍ର ସରକାର ଅନୁମତି ଦିଅନ୍ତୁ ବୋଲି ଶ୍ରୀ ପଣ୍ଡା ଦାବି କରିଛନ୍ତି।

